ଗଡପୋଷ ଷ୍ଟେସନରେ ୪ଟି ଟ୍ରେନର ରହଣୀ ଦାବିରେ ରେଲରୋକ ଆନ୍ଦୋଳନ

 

ସୁନ୍ଦରଗଡ଼/ରାଜଗାଙ୍ଗପୁର, (ନାଗରାଜ ନୁ୍ୟଜ): ଦକ୍ଷିଣପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନ ଅଧିନରେ ଥିବା ସମ୍ବଲପୁର ଜିଲ୍ଲାର ଗଡପୋଷ ଷ୍ଟେସନରେ ୪ଟି ଟ୍ରେନର ରହଣୀ ଦାବି କରି ଗଡପୋଷ ରେଳ ସଂଘର୍ଷ କମଟିର ଆହ୍ୱାନ କ୍ରମେ ଆଜି ଗଡପୋଷ ରେଳ ଷ୍ଟେସନ ଠାରେ ହଜାର ହଜାର ଲୋକ ରେଲଲାଇନ ଉପରେ ବସି ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ ଆନ୍ଦୋଳନ କରିଥିଲେ । କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ବାମରା ବ୍ଳକ ଅଧ୍ୟକ୍ଷ ସଦାନନ୍ଦ କୁକୁର, ପ୍ରଦୀପ୍ତ ମିଶ୍ର ଏବଂ ରାଜକୁମାର ଶୁକ୍ଳା ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

 

ଗଡପୋଷ ଷ୍ଟେସନ ଉପରେ ବାମରା ବ୍ଳକର ୧୦ଟି ପଞ୍ଚାୟତ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟୁନ ୧୦ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି । ଆଗରୁ ଏହି ଷ୍ଟେସନରେ ଇସ୍ପାତ ଏକ୍ସପ୍ରେସ, ରାଜ୍ୟ ରାଣୀ ଏକ୍ସପ୍ରେସ, ତପସ୍ଵିନୀ ଏକ୍ସପ୍ରେସ ଏବଂ ଦୁର୍ଗ ଦାନାପୁର ସାଉଦବିହାର ଏକ୍ସପ୍ରେସର ଷ୍ଟପେଜ୍ ଥିଲା । ହେଲେ କରୋନା ମହାମାରୀ ଯୋଗୁଁ ଗଡ଼ପୋଷ ଷ୍ଟେସନରେ ଏହି ସମସ୍ତ ଟ୍ରେନ ଗୁଡ଼ିକର ରହଣୀ ବାତିଲ କରାଯାଇଥିଲା। ଯାହାଫଳରେ ରାଜଗାଙ୍ଗପୁର ଏବଂ ବାମରା ଯାଇ କଲେଜରେ ପାଠପଢ଼ୁଥିବା ଅଞ୍ଚଳର ଶହଶହ ଛାତ୍ରଛାତ୍ରୀ ଟ୍ରେନ ରହଣୀ ବାତିଲ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ହଜାର ହଜାର ଲୋକେ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ ।

 

ଏହିସବୁକୁ ଦୃଷ୍ଟିରେ ରଖି ଗଡ଼ପୋଷ ରେଳ ସଂଘର୍ଷ କମଟି ଚକ୍ରଧରପୁର ପୁର ଡିଭିଜନ ର ଡିଆରଏମକୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବାରୁ ବାଧ୍ୟ ହୋଇ ଆଜି ସକାଳ ୬ଟାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ହଜାର ହଜାର ଲୋକ ରେଳ ରୋକ ଆନ୍ଦୋଳନ କରିଥିଲେ ।

 

ଦୀର୍ଘ ୧୧ଘଣ୍ଟା ଧରି ରେଳ ରୋକ ହେବାଯୋଗୁଁ ରାଉରକେଲା ଝାରସୁଗୁଡ଼ା ରେଳ ଡିଭିଜନରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା । ପରେ ଚକ୍ରଧରପୁର ଡିଭିଜନର ସିନିଅର ଡିସିଏମ୍ ମନିଷ ପାଠକ, ସିନିଅର ଡିଏସପି ଘଟଣାସ୍ଥଳକୁ ପହଞ୍ଚି ତପସ୍ଵିନୀ ଏକ୍ସପ୍ରେସ ଆସନ୍ତା ୩୦ତାରିଖ ଦିନ ଠାରୁ ରହଣୀ ହେବା ସହିତ ଅନ୍ୟ ଟ୍ରେନ ଗୁଡ଼ିକ ୧୫ଦିନ ପରେ ରହଣୀ କରିବାର ଲିଖିତ ପ୍ରତିଶ୍ରୁତି ଦେବା ଏବଂ କାଲିଠାରୁ ରାଉରକେଲା ପୁରୀ ପାସେଞ୍ଜରର ଭଡା ବୃଦ୍ଧି ପ୍ରତ୍ୟାହାର କରିବାର ପ୍ରତିଶ୍ରୁତି ଦେବାରୁ ଲୋକମାନେ ଆନ୍ଦୋଳନରୁ ଓହରି ଥିଲେ ।

Leave a Reply

Your email address will not be published.