ବକେୟା ଦରମା ନମିଳିବାରୁ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ କର୍ମୀ

ଖଇରା,(ନାଗରାଜ ନ୍ୟୁଜ): ଦୀର୍ଘ ଦିନ ଧରି ବକେୟା ଦରମା ପ୍ରଦାନରେ ସିଡିପିଓ କାର୍ଯ୍ୟାଳୟ ଅବହେଳା କରୁଥିବା ପ୍ରତିବାଦରେ ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ । ଏପରି ଏକା ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ । ଅଭିଯୋଗରୁ ଜଣାପଡିଛି ଯେ ଅମରିଆ-ଅଗ୍ନିପରୁ ପଞ୍ଚାୟତ ଅମରିଆ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଶାନ୍ତିଲତା ନାୟକ ଦୀର୍ଘଦିନ ଧରି ସୂଚାରୁ ରୂପେ କାର୍ଯ୍ୟ କରୁଥିଲେ । କୌଣସି କାରଣରୁ ପୂର୍ବତନ ସିଡିପିଓ ନର୍ମଦା ଦେଓ ଆକ୍ରୋଷ ମୂଳକ ଭାବେ ନିକଟସ୍ଥ ପାଣିଛତ୍ର ଅଙ୍ଗନୱାଡି କେନ୍ଦ୍ରର କର୍ମୀ ସୁକାନ୍ତି ଲତା ପତିଙ୍କୁ ଦାୟିତ୍ୱ ଦେଇଥିଲେ । ପରେ ପରେ ଶ୍ରୀମତୀ ପତିଙ୍କର ହାକିମାତି ଆରମ୍ଭ ହୋଇଥିଲା । ଏବାବଦରେ ସିଡିପିଓ, ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ବି.ଏସ.ଡବ୍ଲ୍ଯୁଙ୍କୁ ଶ୍ରୀମତୀ ନାୟକ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । ବାଧ୍ୟହୋଇ ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ହାଇକୋର୍ଟଙ୍କ ଅର୍ଡର ମୁତାବକ ଜିଲ୍ଲାପାଳ ଏହାର ତଦନ୍ତ ଭାର ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଉପ-ଜିଲ୍ଲାପାଳ ମହୋଦୟ କେନ୍ଦ୍ରକୁ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଜିଲ୍ଲାପାଳ ମହାଶୟଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଶ୍ରୀମତୀ ନାୟକ ବକେୟା ଦରମା ପାଇପାରିଲେ ନାହିଁ । ଯାହାଫଳରେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି । ଏଥିରେ ଯଦି କିଛି ସୁଫଳ ନମିଳେ ଆଗାମୀ ଦିନରେ ଜିଲ୍ଲାପାଳ ବାଲେଶ୍ବରଙ୍କୁ ଭେଟିବେ ବୋଲି ଧାରଣାରେ ବସିଥିବା ଶ୍ରୀମତୀ ନାୟକ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି । ବର୍ତ୍ତମାନର ଖଇରା ସିଡିପିଓ ଜାନକୀ ଦାସଙ୍କ ଠାରୁ ମତାମତ ନେବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ସମ୍ଭଵ ହୋଇପାରି ନଥିଲା । କାରଣ ସିଡିପିଓ ଜିଲ୍ଲା ମିଟିଂକୁ ଯାଇଥିବାରୁ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.