ଛୁରୀ ମାଡ଼ରେ ଯୁବକ ମୃତ

ବଡ଼ମ୍ବା, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରଗଡିପଡା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଛୁରୀ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବକେୟା ଦରମାକୁ କେନ୍ଦ୍ର କରି ଜଣେ କୁକୁଡ଼ା ଦୋକାନ ମାଲିକଙ୍କୁ ଛୁରୀ ଭୁସି ହତ୍ୟା କରିଛି ଦୋକାନରେ କାମ କରୁଥିବା ଜଣେ ଯୁବକ । ମୃତକ ଯୁବକ ରଗଡିପଡା ଗ୍ରାମର ପ୍ରହଲ୍ଲାଦ ମଲ୍ଲିକ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ପ୍ରହଲ୍ଲାଦ ମଲ୍ଲିକ ନୂଆତଇଲା ଛକଠାରେ ଏକ କୁକୁଡ଼ା ଦୋକାନ ଦେଇଥିଲେ । ମୁନା ନାୟକ ପ୍ରହଲ୍ଲା ଙ୍କ ପାଖରେ ମାଂସ କାଟିବା କାମ କରୁଥିଲେ ।

ତେବେ ଦୀର୍ଘ ଦିନରୁ ମାଲିକଙ୍କ ପାଖରେ ମୁନାର କିଛି ଦରମା ଟଙ୍କା ବାକି ରହିଯାଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଥର ବଚସା ହୋଇଥିଲା । ମୁନା ନାୟକ ଏବେ ପ୍ରହଲ୍ଲାଦ କରିଥିବା କୁକୁଡ଼ା ଦୋକାନ ସମ୍ମୁଖରେ ଅନ୍ୟ ଏକ କୁକୁଡ଼ା ଦୋକାନରେ କାମ କରୁଥିଲା । ମୁନା ପ୍ରହଲ୍ଲାଦଙ୍କୁ ଆକ୍ରମଣ କରିବାକୁ ଅନେକ ଥର ସୁଯୋଗ ଖୋଜୁଥିଲା । ଗତକାଲି ରାତି ପ୍ରାୟ ୯ ଘଟିକା ସମୟରେ ପ୍ରହଲ୍ଲାଦ ଦୋକାନ ବନ୍ଦ କରୁଥିବା ସମୟରେ ଉତ୍ତ୍ୟକ୍ତ ହୋଇ ରହିଥିବା ମୁନା ନାୟକ ପ୍ରହଲ୍ଲାଦଙ୍କୁ ଛୁରୀ ଭୁସି ଦେଇଥିଲା । ଘଟଣା ସ୍ଥଳରୁ ସ୍ଥାନୀୟ ଲୋକମାନେ ପ୍ରହଲ୍ଲାଦଙ୍କୁ ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ମୁନା ନାୟକ ଫେରାର ହୋଇଯାଇଥିବା ବେଳେ ବଡମ୍ବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published.