ଆଜି ମହାଶିବରାତ୍ରି – ଶ୍ରଦ୍ଧାଳୁମାନେ ଶାନ୍ତିପୂର୍ଣ୍ଣ ଭାବରେ ଠାକୁରଙ୍କୁ ଦର୍ଶନ କଲେ

କଟକ,(ନାଗରାଜ ନ୍ୟୁଜ): କଟକ ଆଜି ଓମ୍ ଶିବାୟ ଧ୍ବନିରେ ପ୍ରକମ୍ପିତ କଟକ ସହର। କଟକ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ଶ୍ରଦ୍ଧାଳୁମାନେ ଅତି ନିଷ୍ଠାର ସହ ଶିବରାତ୍ରୀ ପାଳନ କରିଛନ୍ତି। ଶିବରାତ୍ରୀ ଅବସରରେ କଟକ ସହର ଉପକଣ୍ଠରେ ଅବସ୍ଥିତ ପରମହଂସ ଠାରେ ଜାଗର ମେଳା ବସିଛି ଏବଂ ଏହି ମେଳା ତିନିଦିନ ଧରି ଚାଲିବ। କଟକ ସହରରେ ଅମରେଶ୍ଵର ମନ୍ଦିର, ଅଷ୍ଟସମ୍ଭୁ ମନ୍ଦିର, ଫ୍ରେଣ୍ଡ୍ସ କଲୋନୀ ସ୍ଥିତ ପାତାଳପୁରୀ ଭୈରବ ଶିବ ମନ୍ଦିର, ଗଡଗଡେଶ୍ଵର ମହାଦେବ, ଚହଟେଶ୍ଵର ମହାଦେବ ଆଦି ଶୈବପୀଠରେ ଶ୍ରଦ୍ଧାଳୁମାନେ ବେଲପତ୍ର, କଦଳୀ, କ୍ଷୀର ଓ ଚଣା ଅର୍ପଣ କରି ପୂଜା ଅର୍ଚ୍ଚନା କରୁଛନ୍ତି। ଠାକୁରଙ୍କର ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁମାନେ ଧାଡିବାନ୍ଧି ଛିଡା ହୋଇ ଠାକୁର ଦର୍ଶନ କରୁଛନ୍ତି। କେତେକ ସ୍ଥାନରେ ଶ୍ରଦ୍ଧାଳୁମାନେ ଉପବାସ ରଖି ପୂଜା ଅର୍ଚ୍ଚନା କରୁଥିବା ଲକ୍ଷ୍ୟ କରାଯାଉଛି। କେତେକ ଶିବ ମନ୍ଦିରରେ ରାତି ୧୦ଟା ଏବଂ ଆଉ କେତେକ ମନ୍ଦିରରେ ରାତି ୧୧ଟା ପରେ ମହାଦୀପ ଉଠିଛି। ପୋଲିସ ପକ୍ଷରୁ ବିଭିନ୍ନ ଶିବ ମନ୍ଦିରରେ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। “ଓଁ ନମଃ ଶିବାୟ” ଧ୍ବନିରେ ଶିବ ମନ୍ଦିରଗୁଡିକ ପ୍ରକମ୍ପିତ ହୋଇଉଠିଛି। ବିଭିନ୍ନ ଶୈବପୀଠରେ ଭଜନ ପରିବେଷଣ କରାଯାଉଛି। ଗତ କିଛି ବର୍ଷ ହେବ ବକ୍ସିବଜାର ସ୍ଥିତ ଅମରେଶ୍ଵର ଶିବ ମନ୍ଦିର ଶିବରାତ୍ରୀ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି। ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ଉପବାସ ରଖି ପୂଜା ଅର୍ଚ୍ଚନା କରୁଛନ୍ତି। ମହାନଦୀ ମଧ୍ୟରେ ଅବସ୍ଥିତ ଧବଳେଶ୍ଵର ପୀଠରେ ଶିବରାତ୍ରି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାବେଶ ହୋଇଛି। ଗତ ନଭେମ୍ବର ମାସରେ ଧବଳେଶ୍ଵର ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିରରେ ଭକ୍ତଙ୍କର ପ୍ରବେଶକୁ ନିଷିଦ୍ଧ କରଯାଇଥିଲା। ଏବେ କିଛିଦିନ ପୂର୍ବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କର ମନ୍ଦିର ପ୍ରବେଶ ନିଷେଧାଜ୍ଞାକୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁ ମନ୍ଦିର ପ୍ରବେଶ ନିମନ୍ତେ କଟକଣା ଲାଗୁ କରଯାଇଥିଲା। ଏହା ପ୍ରତ୍ୟାହାର ପରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ କିଛିଟା ଉତ୍ସାହ ପ୍ରକାଶ ପାଇଛି। ଆଜି ଧବଳେଶ୍ଵର ପୀଠରେ ଭକ୍ତମାନେ ଶାନ୍ତିପୂର୍ଣ୍ଣ ଭାବରେ ଠାକୁର ଦର୍ଶନ କରିଛନ୍ତି। ଶିବରାତ୍ରୀ ଅବସରରେ ଧବଳେଶ୍ଵର ପୀଠରେ ସ୍ଵତନ୍ତ୍ର ନୀତି ପ୍ରଣୟନ କରାଯାଇଛି। ବିଳମ୍ବିତ ରାତିରେ ଠାକୁରଙ୍କର ମଙ୍ଗଳ ଆଳତି ଏବଂ ସମସ୍ତ ନୀତିକାନ୍ତି ପରେ ମନ୍ଦିରର ପ୍ରବେଶ ଦ୍ଵାର ଖୋଲାଯାଇଥିଲା। ଯାହାଫଳରେ ଭକ୍ତମାନେ ଠାକୁରଙ୍କର ବଡସିଂହାର ବେଶ ଦର୍ଶନ କରିଥିଲେ। କଟକ ସହରର ବିଭିନ୍ନ ଶିବ ମନ୍ଦିରଗୁଡିକ ଶିବରାତ୍ରୀ ପାଇଁ ଚଳଚଞ୍ଚଳ ହୋଇଉଠିଛି। ଅମରେଶ୍ଵର ମନ୍ଦିର ନିକଟରେ ଭିଡକୁ ଶୃଙ୍ଖଳିତ କରିବା ନିମନ୍ତେ ବକ୍ସିବଜାର ଠାରେ ପୋଲିସ ପକ୍ଷରୁ ଏକତରଫା ରାସ୍ତାର ପ୍ରଚଳନ କରାଯାଇଛି। ଭକ୍ତମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୋଟାମୋଟି ଭାବରେ ଆଜି କଟକ ସହର ଏବଂ ଏହାର ଉପକଣ୍ଠରେ ଶାନ୍ତିପୂର୍ଣ୍ଣ ଭାବରେ ମହାଶିବରାତ୍ରି ପାଳନ କରାଯାଇଛି।

Leave a Reply

Your email address will not be published.