ସମସ୍ୟାରେ ଉବୁଟୁବୁ ବାଉଁଶଗଡିଆ ପଞ୍ଚାୟତ ୩ ନମ୍ବର ୱାର୍ଡର ଉପରସାହି, ଭୋଟ ବର୍ଜନ ନେଇ ଚେତାବନୀ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ସମସ୍ୟାରେ ଜର୍ଜରିତ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ୩ ନମ୍ବର ୱାର୍ଡର ଉପରସାହି ବାସିନ୍ଦା । ୩୦ ଗୋଟି ପରିବାରରେ ପ୍ରାୟ ୨୦୦ ଲୋକ ବସବାସ କରନ୍ତି । ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଏଠି ସରକାରଙ୍କର ସମସ୍ତ ଯୋଜନା ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଆର୍ଥିକ ଅନଗ୍ରସର, ଆଦିବାସୀ ଓ ହରିଜନ ବର୍ଗର ଲୋକମାନଙ୍କ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏମାନେ ଅବହେଳିତ କାହିଁକି ? ଏହି ଗରିବ ଆଦିବାସୀ ମାନଙ୍କ ଦୁଃଖ ବୁଝିବ କିଏ ? ନଳକୂପ ଅଭାବରୁ ଦୂଷିତ ଚୂଆପାଣି ହିଁ ଭରସା ହୋଇଥାଏ, ସ୍ବାସ୍ଥ୍ୟସେବାର ଘୋର ଅଭାବ । ଯହା ସରକାରଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମସ୍ୟା ଗୁଡିକ ମଧ୍ୟରେ ନିତିଦିନିଆ ରାସ୍ତା, ପିଇବା ପାଣିର ଅଭାବ, ଆବାସ ଯୋଜନା ଗୃହ, ଘରଡିହ ପଟ୍ଟା, ପାଇଖାନା, ଉଜ୍ଜ୍ଵଳ ଆଲୋକ, ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଇତ୍ୟାଦି ଅନେକ ରହିଛି । ଯାହାର ସୁଧାର ନିମନ୍ତେ ନିର୍ବାଚିତ ପ୍ରତିନିଧିମାନଙ୍କ ନଜର ନପଡିବା ବଡ଼ ଦୁଃଖ ଓ ପରିତାପର ବିଷୟ ହୋଇଛି । ଏସବୁ ଦିଗରେ ପ୍ରଶାସନିକ ସ୍ତରରେ ବହୁ ଅବହେଳିତ । କେବଳ ନିର୍ବାଚନ ସମୟରେ ହିଁ ଏମାନଙ୍କୁ ମନେପକାଇ ଥାଆନ୍ତି ବିଭିନ୍ନ ଦଳର କର୍ମୀମାନେ । ଭୋଟ ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି ହେଲେ ଭୋଟ ପରେ ଭୁଲିଯାଆନ୍ତି ସମସ୍ତେ । ବର୍ତ୍ତମାନ ୨୦୨୨ ପଞ୍ଚାୟତ ନିର୍ବାଚନ ସମୟ ଆସିଛି, ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ଏବେ ମନେ ପକାଇଛନ୍ତି ବାସିନ୍ଦାମାନେ ଏବଂ ପ୍ରତିଶ୍ରୁତି ଗୁଡିକୁ ପୂରଣ ନିମନ୍ତେ ଧରିଛନ୍ତି ଜିଦ୍ । ଯଦି ସରକାର ସମସ୍ୟା ସମାଧାନ ଦିଗରେ ଆଗେଇ ନ ଆସନ୍ତି, ତା ‘ ହେଲେ ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ସୋମ୍ବାରୀ ସିଂ, ଲୁହୁରୀ ବଦରା, ଦର୍ଶନ ବଦରା, ମାଣିକ ବଦରା, ବିଶ୍ରାଏ ବଦରା, ମିନି ବଦରା, ବାଗୁନ୍ ବଦରା, ରାଇମୁନି ବଦରା, କୁନି ସିଂ,ରାମ ସିଂ, ଲାଦୁରା ସିଂ, କୁନି ବଦରା, ବାଗୁନ ବଦରା, ଲଳିତା ସିଂ ଓ ସାନ୍ଦୁ ସିଂ ପ୍ରମୁଖ ଗ୍ରାମପଞ୍ଚାୟତ ଭୋଟ ବର୍ଜନ କରିବେ ବୋଲି ସମୂହ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published.