ଦୋକାନୀଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ

ଗଞ୍ଜାମ: ଟିକା ନନେଲେ ଖୋଲିପାରିବେନି ଦୋକାନ । ଏଭଳି ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳ ଏକ ନିର୍ଦ୍ଦେଶ ଜାରି କରିଛନ୍ତି, ଯେଉଁଥିରେ ତାଲାବନ୍ଦ କଟକଣା ମଧ୍ୟରେ ଯେତିକି ବ୍ୟବସାୟ ପ୍ରତିଷ୍ଠାନ ଖୋଲୁଛି, ଦୋକାନୀ ଟିକା ନେବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଟିକା ନନେଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ।

ସେ କହିଛନ୍ତି ଜିଲାରେ ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର, ହାଟ ବଜାରରେ ବିକ୍ରି କରୁଥିବା ବିକ୍ରେତାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ। ଏଥିସହିତ ବୃହତ ବଜାର ଏବଂ ପର୍ଯ୍ୟଟନ ସ୍ଥଳରେ ରହିଥବା ଦୋକାନୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଟିକାକରଣ କରାଯିବ।

ବ୍ୟବସାୟୀମାନେ ନିଜେ ଟିକା ନେବା ସହିତ ସେମାନଙ୍କ ଦୋକାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଟିକା ଦେଇ ସେ ସମ୍ପର୍କି ପ୍ରମାଣପତ୍ର ନିଜ ଦୋକାନ ସମ୍ମୁଖରେ ଦର୍ଶାଇବେ, ଯହାଦ୍ବାରା ଗ୍ରାହକମାନେ ଉକ୍ତ ଦୋକାନୀ ଟିକା ନେଇଥିବା ଜାଣିପାରିବେ।

ଯଦି ଦୋକାନୀ ଟିକା ନେଇନଥିବେ ଓ ତତ୍‍ ସମ୍ପର୍କିତ ପ୍ରମାଣପତ୍ର ଦୋକାନ ସମ୍ମୁଖରେ ପ୍ରଦର୍ଶନ ନକରିବେ ତେବେ ସେମାନଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ । ଏଥିସହିତ ଜିଲାରେ ଦୈନିକ ଟିକାକରଣ ଲକ୍ଷ୍ୟ ପୂରଣ କରିବା ଦିଗରେ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରଚେଷ୍ଟା କରିବାକୁ ଜିଲାପାଳ ସୋମବାର ଅନୁଷ୍ଠିତ କୋଭିଡ ପରିଚାଳନା ଭିଡିଓ କନଫରେନ୍ସିଂରେ ଜଣାଇଛନ୍ତି ।

Leave a Reply

Your email address will not be published.