ଜନ୍ମମାଟିରେ କାଳଜୟୀ ସ୍ରଷ୍ଟା ବୈଷ୍ଣବ ପାଣିଙ୍କ ୧୩୯ ତମ ଜୟନ୍ତୀ ପାଳିତ

କଟକ, (ନାଗରାଜ ନ୍ୟୁଜ): ଓଡ଼ିଆ ଗୀତିନାଟ୍ୟ ଜଗତର ମଉଡମଣୀ ପ୍ରଖ୍ୟାତ ସାରସ୍ୱତ ସାଧକ ତଥା ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ କଟକ ଜିଲ୍ଲାର କୋଠପଦା ଠାରେ ପାଳିତ ହୋଇଯାଇଛି । ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ମାହାଙ୍ଗା ଅନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବକୁ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ କହିଥିଲେଯେ, କାଳଜୟୀ ସ୍ରଷ୍ଟା ବୈଷ୍ଣବ ପାଣିଙ୍କ ସାହିତ୍ୟରେ ମେହେନତି ମଣିଷର ସ୍ୱର ଅଧିକରୁ ଅଧିକ ଶାଣିତ । ଅର୍ଦ୍ଧ ଶତକରୁ ଉର୍ଦ୍ଧ୍ଵ ସମୟ ଧରି ଗଣକବିଙ୍କ ଜୟନ୍ତୀ, ସାହିତ୍ୟିକ ସଭା ଓ ଗୀତିନାଟ୍ୟ ପ୍ରଦର୍ଶନ ଗଣପର୍ବରେ ପରିଣତ ହୋଇ ପାରିଛି । ରାଜ୍ୟର କୋଟିକୋଟି ଜନତାଙ୍କ ହୃଦୟକୁ ଛୁଇଁ ପାରିଛି ବୈଷ୍ଣବ ପାଣିଙ୍କ ନାଟକ ଓ ସାହିତ୍ୟ । ମଞ୍ଚ ଅଭିନେତା ସୁବାଷ ବେହେରା ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ ଗବେଷକ ଡକ୍ଟର ଅଜିତ କୁମାର ମହାପାତ୍ର ଯୋଗଦେଇ ପାଣି ସାହିତ୍ୟର ବହୁ ଦିଗ ଉପରେ ଆଲୋକପାତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା, ସାହିତ୍ୟିକ ଅଖିଳେଶ ମହାନ୍ତି ଓ ସମାଜସେବୀ ରାଧାନାଥ ରାଉତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ସଂସଦର ସଂପାଦକ ହୃଷିକେଶ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଡକ୍ଟର ଅଜିତ ମହାପାତ୍ରଙ୍କ ଲିଖିତ ପୁସ୍ତକ “ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ଏକ ସମାଜ ଶାସ୍ତ୍ରୀୟ ଅଧ୍ୟୟନ”କୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ । ସେହିପରି ଶିକ୍ଷାବିତ ଅକ୍ଷୟ କୁମାର ଷଢଙ୍ଗୀଙ୍କ ୨ ଖଣ୍ଡ ପୁସ୍ତକ “ଆସ ବୁଲିଯିବା ପର୍ୟ୍ୟଟନ କ୍ଷେତ୍ର” ଓ “ସଚିତ୍ର ବିଜ୍ଞାନ ଓ ବୈଜ୍ଞାନିକ” ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ସାରସ୍ୱତ ସମାରୋହକୁ ସର୍ବଶ୍ରୀ ରାମଚନ୍ଦ୍ର ମହାପାତ୍ର, ପନଂଗ ଭୂଷଣ ଦାସ, ହେମନ୍ତ ପ୍ରଧାନ, ଗଣେଶ ବିହାରୀ, ଲକ୍ଷ୍ମୀଧର ବେହେରା, ରଘୁନାଥ ଜେନା, ଜଗନ୍ନାଥ ନାୟକ, ସୁଧାଂଶୁ ଶେଖର ପାଣି, ଅନନ୍ତ ସାହୁ, ରମାକାନ୍ତ ପଣ୍ଡା ଓ ଦୀପକ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published.