ଡେଲାଙ୍ଗ ଓ ପିପିଲି ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ

ପୁରୀ, (ନାଗରାଜ ନ୍ୟୁଜ ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଡେଲାଙ୍ଗ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୨୯୧ଟି ୱାର୍ଡ, ୩ଟି ଜିଲ୍ଲା ପରିଷଦ ଜୋନ ଏବଂ ପିପିଲି ବ୍ଲକର ୨୫ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୩୫୪ଟି ୱାର୍ଡ, ୩ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ମତଦାନ ସରିଛି । ଉକ୍ତ ଦୁଇଟି ବ୍ଲକର ୪୬ଟି ଗ୍ରାମ ପଞ୍ଚାୟତର ୬୪୫ଟି ୱାର୍ଡ ଓ ୬ଟି ଜିଲ୍ଲା ପରିଷଦ ଜୋନରେ ମତଦାନ ହୋଇଛି । ଡେଲାଙ୍ଗରେ ୧୦୨ଜଣ ସରପଞ୍ଚ, ୭୭ ଜଣ ସମିତି ସଭ୍ୟ, ୫୯୧ ଜଣ ୱାର୍ଡମେମ୍ବର, ୧୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ପିପିଲି ବ୍ଲକରେ ୭୩ ଜଣ ସରପଞ୍ଚ, ୬୬ଜଣ ସମିତି ସଭ୍ୟ, ୬୭୨ ଜଣ ୱାର୍ଡମେମ୍ବର, ୧୫ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇଛି । ଏଥିନିମନ୍ତେ ଡେଲାଙ୍ଗ ପାଇଁ ୨୦ ଜଣ ଏବଂ ପିପିଲି ପାଇଁ ୨୫ ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଛନ୍ତି । ଉଭୟ ବ୍ଲକରେ ୧୪୪ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ଏତଦବ୍ୟତୀତ ଡେଲାଙ୍ଗ ବ୍ଲକର ଗଡମୋଟରି ପଞ୍ଚାୟତର ୧୨ନଂ ୱାର୍ଡ, ପିପିଲିର ଦାଣ୍ତମୁକୁନ୍ଦପୁର ପଞ୍ଚାୟତର ୬,୮ ଓ ୧୧ନଂ ୱାର୍ଡକୁ ପିଙ୍କ ବୁଥ ଭାବେ ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ମତଦାନ ପରିଚାଳନା ନିମନ୍ତେ ସମସ୍ତ ପୋଲିଂ କର୍ମଚାରୀ ମହିଳା ହିଁ ରହିଛନ୍ତି । କାଲିଠାରୁ ପୋଲିଂ ପାର୍ଟିମାନେ ସଂପୃକ୍ତ ବ୍ଲକରେ ରିପୋର୍ଟିଂ କରିବା ପରେ ସେମାନଙ୍କ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଥିଲେ ।ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ୟ୍ୟନ୍ତ ମତଦାନ ହୋଇଥିବା ବେଳେ ଆସନ୍ତା ୨୬ ତାରିଖରେ ସଂପୃକ୍ତ ବ୍ଲକରେ ଭୋଟ ଗଣତି ହେବ । ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ଭୋଟ ବାକ୍ସକୁ ସଂପୃକ୍ତ ବ୍ଲକର ଷ୍ଟ୍ରଙ୍ଗ ରୁମରେ ରଖାଯାଇ ଏହାକୁ ସିଲ କରାଯିବା ସହ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave a Reply

Your email address will not be published.