ଅକ୍ଟୋବର ୧ରୁ ଖୋଲିବ ଯାତ୍ରା ପେଣ୍ଡାଲ ଓ ସିନେମା ହଲ୍‌

କୋଲକାତା: ଦେଶରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଥିବା ବେଳେ ପଶ୍ଚିମବଙ୍ଗ ସରକାର ପ୍ରଥମ ରାଜ୍ୟ ଭାବେ ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣ ଲାଗି ଠପ ହୋଇପଡ଼ିଥିବା ସାଧାରଣ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ଘୋଷଣା କରିଛନ୍ତି।

ମମତାଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ୧ ତାରିଖରୁ ରାଜ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆରମ୍ଭ କରାଯିବ। ଅକ୍ଟୋବର ୧ରୁ ରାଜ୍ୟରେ ଯାତ୍ରା, ମଞ୍ଚ, ମୁକ୍ତାକାଶ ରଙ୍ଗମଞ୍ଚ, ସିନେମା ହଲ୍‌, ସମସ୍ତ ପ୍ରକାରର ଡ୍ୟାନ୍ସ ଶୋ’ ଏବଂ ମ୍ୟାଜିକ ଶୋ’କୁ ଅନୁମିତ ମିଳିବ।

ତେବେ ଏହି ଶୋ’ ଗୁଡ଼ିକରେ ଧାର୍ଯ୍ୟ କ୍ଷମତା ଠାରୁ ୫୦% କିମ୍ବା ତା’ଠାରୁ କମ ସଂଖ୍ୟକ ଲୋକଙ୍କୁ ନେଇ ଆରମ୍ଭ କରାଯିବ। ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରକାରର ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ।

ମମତା କହିଛନ୍ତି, ସାଧାରଣ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି। ଶୋ’ ବେଳେ ସାମାଜିକ ଦୂରତା, ମାସ୍କ ପରିନ୍ଧାନ ଓ ଅନ୍ୟାନ୍ୟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତେ ବାଧ୍ୟ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ କରୋନା ଜନିତ ମୃତ୍ୟୁସଂଖ୍ୟା ଆଜି ୪,୭୨୧ରେ ପହଞ୍ଚି ଯାଇଛି। ଆଜି ଗୋଟିଏ ଦିନରେ ୫୬ ଜଣଙ୍କ ମୁଣ୍ଡ ନେଇଛି ଏହି ପ୍ରାଣଘାତୀ ଭାଇରସ।

Leave a Reply

Your email address will not be published.