ଆଉ ନାହାଁନ୍ତି ଅଭିନେତା ମିହିର ଦାସ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସ ଆଉ ଏହି ଦୁନିଆରେ ନାହାଁନ୍ତି । ଆଜି ତାଙ୍କର ଦେହାନ୍ତ ହୋଇଛି । ପୂର୍ବରୁ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଡିସେମ୍ୱର ୭ ତାରିଖରେ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନାହିଁ ।

ତେବେ ମଙ୍ଗଳବାର ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ୧୯୬୬ ଫେବୃଆରୀ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର । ସେ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ। ତାହା ଥିଲା ‘ସ୍କୁଲ୍‌ ମାଷ୍ଟର’। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା। ତା’ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ବ୍ୟବସାୟିକ ଫିଲ୍ମରେ ଅଭିନୟ କରି ଓଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

Leave a Reply

Your email address will not be published.