ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳକୁ ମୁହାଁଇପାରେ ବାତ୍ୟା ୟସ୍

ଭୁବନେଶ୍ବର : ବଙ୍ଗୋପସାଗରରେ ଆସୁଥିବା ବାତ୍ୟା ‘ୟାସ୍’, ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା କମ୍ ରହିଛି । ଏହା ପଶ୍ଚିମବଙ୍ଗ ସଂଲଗ୍ନ ଅଞ୍ଚଳକୁ ମୁହାଁଇପାରେ ବୋଲି ଅନୁମାନ କରାଯାଉଛି । ସ୍ପଷ୍ଟ ଭାବେ ନ କହିଲେ ମଧ୍ୟ ଶନିବାର ଦିନ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ଅନୁମାନ କରିଛି । ଅନ୍ୟ ପାଣିପାଗ ସଂସ୍ଥାମାନେ ମଧ୍ୟ ଅନୁରୂପ ପୂର୍ବାନୁମାନ ଆରମ୍ଭ କଲେଣି। ହେଲେ ସ୍ଥଳଭାଗକୁ ଛୁଇଁବା ବେଳକୁ ‘ୟାସ୍’ ଭୀଷଣ ବାତ୍ୟା ରୂପ ନେଇସାରିଥିବ ଓ ପବନର ବେଗ ଘଣ୍ଟାପ୍ରତି ୧୪୫ରୁ ୧୬୫ କିଲୋମିଟର ଥିବ। ଏହା ୧୮୫ କିଲୋମିଟର ବେଗରେ ମଧ୍ୟ ଝଟ୍‌କା ଦେଇପାରେ। ଏହା ସତ୍ତ୍ବେ ଉତ୍ତର ଓଡ଼ିଶା ସମେତ ଉପକୂଳ ଅଞ୍ଚଳରେ ବଡ଼ ପ୍ରଭାବ ପଡ଼ିବ। ଏପରିକି ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ପବନର ବେଗ ୯୦ରୁ ୧୦୦ ଏବଂ ସ୍ଥଳ ବିଶେଷରେ ୧୧୦ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏହି ବାତ୍ୟା ସହିତ ଭୀଷଣ ବର୍ଷା ଆସୁଥିବା ପରିପ୍ରେକ୍ଷୀରେ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ସଂଲଗ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ଶନିବାର କହିଛନ୍ତିଯେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବା ଆରମ୍ଭ କରିଛି। ଆସନ୍ତାକାଲି ସକାଳେ ଅବପାତ ରୂପ ନେବ। ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖରେ ବାତ୍ୟା ରୂପ ନେବ। କ୍ଷେତ୍ର ସମ୍ପୂର୍ଣ୍ଣ ଅନୁକୂଳ ଥିବାରୁ ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ ଓ ଅତି ତୀବ୍ର ବା ସିଭିୟର ସାଇକ୍ଲୋନରେ ରୂପ ନେଇପାରେ। ୨୬ ତାରିଖ ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟା ରୂପରେ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ବା ବାଂଲାଦେଶ ଉପକୂଳ ମଧ୍ୟରେ ଏହା ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ଅଧିକ। ଏହାର ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ୨୪ରୁ ୨୭ ପର୍ଯ୍ୟନ୍ତ ଭୀଷଣ ଅଶାନ୍ତ ରହିବ।

Leave a Reply

Your email address will not be published.