ଆଗକୁ ଆସୁଛି ଗଣେଷ ଚତୁର୍ଥୀ, କରୋନା ହେତୁ ଫିକା ପଡିପାରେ ପୂଜା

କଟକ, (ନାଗରାଜ ନ୍ୟୁଜ): କରୋନା ମହାମାରୀ ପାଇଁ ସମସ୍ତ ପର୍ବପର୍ବାଣୀ ଫିକା ପଡୁଛି । ତେବେ ଆଗକୁ ଆସୁଛି ଗଣେଷ ଚତୁର୍ଥୀ । ପ୍ରତିବର୍ଷ ଲୋକେ ବହୁ ଆଡମ୍ବର ପାଳନ କରିଥାନ୍ତି ଏହି ଦିନକୁ । ମାନ୍ୟତା ରହିଛିଯେ, ଏହି ଦିନ ବିଘ୍ନ ବିନାଶକ ପ୍ରଭୂ ଶ୍ରୀ ଗଣେଷଙ୍କୁ ପୂଜା କଲେ ସମସ୍ତ ବିଘ୍ନ ହରଣ ହୁଏ । ପରନ୍ତୁ ଚଳିତବର୍ଷ କରୋନା ମହାମାରୀର କଟକଣା ହେତୁ ଗଣେଶ ପୂଜା ମଧ୍ୟ ଫିକା ପଡ଼ିବ ବୋଲି ଅନୁମାନ କରାଯାଉଛି । ସହରରେ ପୂଜା ପାଇଁ ବ୍ୟାପକ ଆୟୋଜନ ହେଉନଥିଲେ ମଧ୍ୟ ପୂଜା ସମୟରେ କାଳେ କୌଣସି ଘଟଣାକୁ ନେଇ ବିବାଦ ସୃଷ୍ଟି ହେବ ଏହା ଆଶଙ୍କା କରି ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଉପରେ ଡିସିପି ପ୍ରତୀକ ସିଂ ଗୁରୁତ୍ୱ ଦେଇଛନ୍ତି ।

ଏଥିଲାଗି ଡିସିପି ବୁଧବାର କମିସନରେଟ୍‌ର ସମସ୍ତ ଥାନା ଅଧିକାରୀ, ଜୋନ୍‌ ଏସିପି ଏବଂ ଅତିରିକ୍ତ ଡିସିପି ଆଦି ବରିଷ୍ଠ ଅଫିସରମାନଙ୍କୁ ନେଇ ପୂଜା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ପୂଜା ପାଇଁ ବ୍ୟାପକ ଆୟୋଜନ ନଥିଲେ ମଧ୍ୟ ଥାନା ସ୍ତରରେ ଆଲର୍ଟ ରହିବାକୁ ଡିସିପି ଆଇଆଇସିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଚାନ୍ଦା ପାଇଁ କାଳେ କେଉଁ ଅନୁଷ୍ଠାନ କିମ୍ବା ବକ୍ତିବିଶେଷ କୌଣସି ବ୍ୟବସାୟୀ କିମ୍ବା ଲୋକଙ୍କ ଉପରେ ଚାପ ପ୍ରୟୋଗ କରୁଥିବ କିମ୍ବା ଜୁଲମଗିରି ଚଳାଇଥିବ ଏ ଦିଗ ଉପରେ କଡ଼ା ନଜର ରଖିବା ପାଇଁ ଡିସିପି ଥାନା ଅଧିକାରୀମାନଙ୍କୁ ଆଗୁଆ ସତର୍କ କରାଇ ଦେଇଛନ୍ତି । ପୂଜା ପାଇଁ ଜବରଦସ୍ତ ଚାନ୍ଦା ଆଦାୟର ସାମାନ୍ୟ ଅଭିଯୋଗ ପାଇଲା ମାତ୍ରେ କଠୋର ପଦକ୍ଷେପ ନେବା ପାଇଁ ସେ ପୁଲିସ୍‌ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କୋଭିଡ୍‌ ଆଶଙ୍କାକୁ ଦୃଷ୍ଟିରେ ରଖି ପୂଜା ପାଇଁ ଜାରି ହୋଇଥିବା ଗାଇଡ୍‌ ଲାଇନ୍‌ର ଯେପରି ଉଲ୍ଲଂଘନ ନହୁଏ ସେଥିପ୍ରତି ସଜାଗ ରହିବାକୁ ଡିସିପି ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂଜା ସମୟରେ ମଣ୍ଡପରେ ୭ ଜଣଙ୍କଠାରୁ ଅଧିକ ଉପସ୍ଥିତ ରହିପାରିବେ ନାହିଁ ବୋଲି ନିଷ୍ପତ୍ତି ରହିଛି । ସେହିପରି ଭସାଣି ଶୋଭାଯାତ୍ରା ନହେଲେ ମଧ୍ୟ ମୂର୍ତ୍ତି ବିସର୍ଜନରେ କେବଳ ୭ ଜଣ ହିଁ ରହିପାରିବେ । ବିସର୍ଜନ ପାଇଁ ଟ୍ରଲିରେ ମୂର୍ତ୍ତି ନ ନେଇ ଟାଟା ଏସସିଇ ଆଦି ଗାଡ଼ିମୋଟରରେ ନେବା ପାଇଁ କୁହାଯାଇଛି । ସେହିପରି ପୂଜା ପାଇଁ ମାଇକ୍‌, ଆଲୋକ ସଜ୍ଜା ଆଦି କଟକଣାକୁ ଉଲ୍ଲଂଘନ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ସହ ଜରିମାନା ଆଦାୟରେ ହେଳା ନକରିବା ପାଇଁ ଡିସିପି ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିଲାଗି ଥାନା ଅଧିକାରୀମାନେ ନିଜ ଅଞ୍ଚଳରେ ଥିବା କ୍ଲବ୍‌ ସଦସ୍ୟ, ଅନୁଷ୍ଠାନ କର୍ମକର୍ତ୍ତା ଆଦିଙ୍କୁ ସତର୍କ କରାଇଦେବା ପାଇଁ ଡିସିପି କହିଛନ୍ତି । ତେବେ ଆଉ ୨ ଦିନ ପରେ ଗଣେଶ ପୂଜା ହେବାକୁ ଥିଲେ ମଧ୍ୟ ପୂଜା ଆୟୋଜନ ନେଇ ଏବେ ସେମିତି କୌଣସି କ୍ଲବ୍‌ କିମ୍ବା ଅନୁଷ୍ଠାନ ପୁଲିସ୍‌ ପାଖରେ ଅନୁମତି ପାଇଁ ଆବେଦନ କରିନଥିବା ସୂଚନା ମିଳିଛି ।

 

Leave a Reply

Your email address will not be published.