୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଜୱାଦ, ଓଡ଼ିଶାରେ ପବନ ଅପେକ୍ଷା ବର୍ଷା ଅଧିକ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଆଉ ୨୪ ଘଣ୍ଟାରେ ବାତ୍ୟା ରୂପ ନେବ । ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ ସେ ସଂକ୍ରାନ୍ତରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିନାହିଁ । ସମ୍ଭାବ୍ୟ ବାତ୍ୟା ସ୍ଥଳ ଭାଗ ଛୁଇଁବା ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି । କିନ୍ତୁ ପୂର୍ବାନୁମାନ ଅନୁସାରେ, ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ଓଡ଼ିଶାକୁ ସବୁଠାରୁ ଅଧିକ ପ୍ରଭାବିତ କରିବ । ବାତ୍ୟା ପ୍ରଭାବରେ ରାଜ୍ୟରେ ୩ ତାରିଖ (ଶୁକ୍ରବାର) ରାତିରୁ ପାଗରେ ପରିବର୍ତ୍ତନ ହେବ । ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ ।

ରାୟଗଡ଼ା, ପୁରୀ, କୋରାପୁଟ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷିବା ସହ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆସନ୍ତାକାଲି ସନ୍ଧ୍ୟାରୁ ପ୍ରବଳରୁ ଅତିପ୍ରବଳ ବର୍ଷିବା ଆରମ୍ଭ ହୋଇଯିବ । ୪ ତାରିଖ ଦିନ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ । ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ଅତିରୁ ଅତିପ୍ରବଳ ବର୍ଷିବ । ଏପରିକି ସେଠାରେ ୨୦୦ ମିମିରୁ ଅଧିକ ବର୍ଷିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି । ଏଥିସହ ଏହି ୪ ଜିଲ୍ଲା ପାଇଁ‌ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କେନ୍ଦ୍ରାପଡ଼ା, କଟକ ଓ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଭଦ୍ରକ, ଯା‌ଜପୁର, ବାଲେଶ୍ୱର ଓ ମାଲକାନଗିରି ଆଦି ଜିଲ୍ଲାରେ ମଧ୍ୟ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ଭାବ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ଉପରେ ସତର୍କ ଦୃଷ୍ଟି ଦେବାକୁ ଏସ୍ଆର୍‌ସି ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ସୃଷ୍ଟ ଅବପାତଟି ଓଡ଼ିଶାର ଗୋପାଳପୁରଠାରୁ ୧୦୨୦ କିମି ଓ ପାରାଦୀପଠାରୁ ୧୦୬୦ କିମି ଦୂରରେ ରହିଛି । ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ ଓ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ବା ବାତ୍ୟା ରୂପ ନେବ। ୪ ତାରିଖ ସକାଳୁ ଏହା ସ୍ଥଳ ଭାଗ ମୁହାଁ ହେବା ବେଳକୁ ଦୁର୍ବଳ ହୋଇଯିବ । ଫଳରେ ଓଡ଼ିଶାରେ ପବନର ବେଗ କମ୍ ରହିବ। କିନ୍ତୁ ଏହି ବାତ୍ୟା ଅଧିକ ବର୍ଷା ଆଣୁଥିବାରୁ ସମଗ୍ର ଉପକୂଳ ସମେତ ସଂଲଗ୍ନ ଅଞ୍ଚଳରେ ୪ ଓ ୫ ତାରିଖ ପ୍ରବଳ ବର୍ଷିବ । ଫଳରେ ଅଧା ଓଡ଼ିଶାର ଜନଜୀବନ ପ୍ରଭାବିତ ହେବ ବୋଲି ପୂର୍ବାନୁମାନ କରାଯାଉଛି ।

Leave a Reply

Your email address will not be published.