ଚିନ୍ତା ବଢ଼ାଇପାରେ ଓମିକ୍ରନ୍, ବୈଜ୍ଞାନିକ ଦେଲେ ସୂଚନା

ନୂଆଦିଲ୍ଲୀ, (ନାଗରାଜ ନୁ୍ୟଜ): ଭୟ ସୃଷ୍ଟି କଲାଣି ଓମିକ୍ରନ୍ । ବୈଜ୍ଞାନିକମାନେ କହିଛନ୍ତି ଯେ, ଟିକା-ଜନିତ ପ୍ରତିରୋଧକତାକୁ ଅତିକ୍ରମ କରିବାର କ୍ଷମତା ଓମିକ୍ରନ୍‌ର ଥିଲେ ମଧ୍ୟ ଏହା ସବୁ ପ୍ରତିରୋଧକତାକୁ ଅତିକ୍ରମ କରିପାରିବ ନାହିଁ । ସବୁ ଟିକାକୁ ଏହା ଅକାମୀ ସାବ୍ୟସ୍ତ କରିପାରିବ ନାହିଁ । ତେବେ ଏ ଭାରିଆଣ୍ଟ ବିଷୟରେ ଏବେ ବେଶି କିଛି ଜଣାଯାଇ ନାହିଁ । ଓମିକ୍ରନ୍ ସଂକ୍ରମିତଙ୍କଠାରେ ପ୍ରଥମେ ଯେଉଁସବୁ ଲକ୍ଷଣ ବିଷୟରେ ରିପୋର୍ଟ କରାଯାଇଥିଲା, ଅନ୍ୟମାନଙ୍କଠାରେ ଅବିକଳ ସେହି ଲକ୍ଷଣ ପ୍ରକାଶ ନ ପାଇପାରେ । କାରଣ ପ୍ରଥମେ ପିଲାମାନେ ଏହାଦ୍ୱାରା ସଂକ୍ରମିତ ହୋଇଥିଲେ ଏବଂ ଏବେ ବୟସ୍କମାନେ ବି ସଂକ୍ରମିତ ହେଲେଣି। ଉଭୟଙ୍କ ଲକ୍ଷଣ ନିଶ୍ଚୟ ଏକା ହେବ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ପୂର୍ବରୁ ଦକ୍ଷିଣ ଆଫ୍ରିକାର ଡାକ୍ତରମାନେ କହିଥିଲେ ଯେ, ଓମିକ୍ରନ୍ ସଂକ୍ରମଣ କ୍ଷେତ୍ରରେ ରୋଗର ଲକ୍ଷଣ ସାମାନ୍ୟ ଥିଲା। କିନ୍ତୁ କ୍ରିପ୍ସ ଜେନୋମିକ୍ସ ଇନଷ୍ଟିଚ୍ୟୁଟର ସଂକ୍ରାମକ ରୋଗ ବିଶେଷଜ୍ଞ ରିଚାର୍ଡ ଲେସେଲ୍ସ କହିଛନ୍ତି, ଏ ଭାରିଆଣ୍ଟର ମାରାତ୍ମକତା ଏବେ ଜଣାପଡ଼ିବନି। କାରଣ ଯେଉଁମାନେ ସଂକ୍ରମିତ ହୋଇଛନ୍ତି, ସେମାନେ ମୁଖ୍ୟତଃ ପିଲା। ଯେଉଁ ବୟସ୍କମାନେ ସଂକ୍ରମିତ ହୋଇଛନ୍ତି, ସେମାନେ ପୂର୍ବରୁ ଅନ୍ୟ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିଲେ କିମ୍ବା ଟିକା ନେଇଥିଲେ ଏବଂ ଏହାଦ୍ୱାରା ସେମାନଙ୍କଠାରେ ଆଣ୍ଟିବଡ଼ି ଓ ରୋଗପ୍ରତିରୋଧକ କ୍ଷମତା ସୃଷ୍ଟି ହୋଇଥିଲା। ତେଣୁ ଓମିକ୍ରନ୍ ସେମାନଙ୍କ ଅବସ୍ଥା ଗୁରୁତର କରିପାରି ନାହିଁ। ପୂର୍ବରୁ ସଂକ୍ରମିତ ହୋଇ ନ ଥିବା କିମ୍ବା ଆଦୌ ଟିକା ନେଇ ନ ଥିବା ବୟସ୍କ ବ୍ୟକ୍ତି ସଂକ୍ରମିତ ହେଲେ ଯାଇ ଜଣାପଡ଼ିବ, ଏ ଭାରିଆଣ୍ଟ ତାଙ୍କଠାରେ କି ପ୍ରଭାବ ପକାଉଛି।

Leave a Reply

Your email address will not be published.