ରାଜ୍ୟରେ ଲାଗି ରହିବ ନିଅଣ୍ଟିଆ ବର୍ଷା

ଭୂବନେଶ୍ବର, (ନାଗରାଜ ନ୍ଯୁଜ): ଚଳିତ ବର୍ଷ ଓଡିଶାରେ ନିଅଣ୍ଟିଆ ବର୍ଷା ଲାଗି ରହିଛି । ରାଜ୍ୟରେ ଚଳିତ ମାସ ଶେଷ ସୁଦ୍ଧା ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର । ଜୁନ୍‌ ୧ରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ୩୩% ନିଅଣ୍ଟିଆ ବର୍ଷା ହୋଇଛି । ବିଶେଷତଃ ଅଗଷ୍ଟ ମାସରେ ୫୫% ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । କୋରାପୁଟ, ମାଲକାନଗିରି ଓ ନୂଆପଡ଼ାକୁ ଛାଡ଼ି ଦେଲେ ବାକି ୨୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଅପରପକ୍ଷେ କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତିଯେ, ରାଜ୍ୟରେ ମୌସୁମୀ ବର୍ଷା ପାଇଁ ପାଣିପାଗ ଅନୁକୂଳ ହେବାରେ ଲାଗିଛି ।

୨୮ ତାରିଖରୁ ଲଘୁଚାପ ଯୋଗୁଁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତ୍ୟେକ ସ୍ଥାନରେ ବର୍ଷା ହେବ । ୨୮ରେ ଓଡ଼ିଶା ଉପକୂଳ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ୨୯ରେ ଓଡ଼ିଶା ଉପକୂଳ ଅତିକ୍ରମ କରି ପଶ୍ଚିମ ଦିଗରେ ଗତି କରିବ । ୩୦ରେ ଛତିଶଗଡ଼ ଓ ସଂଲଗ୍ନ ପଶ୍ଚିମ ଓଡ଼ିଶା ଉପରେ ରହିବାର ସମ୍ଭାବନା ଅଛି । ୨୫ରୁ ୩୧ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରତିଦିନ ସ୍ୱଳ୍ପରୁ ମଧ୍ୟମ(୧୫ରୁ ୩୫ ମିଲିମିଟର) ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ଡ. ମହାପାତ୍ର ଆକଳନ କରିଛନ୍ତି ଯେ, ବର୍ତ୍ତମାନର ବାୟୁମଣ୍ଡଳ ସ୍ଥିତିକୁ ଦେଖିଲେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ନାହିଁ । ଯେଭଳି ନିଅଣ୍ଟିଆ ବର୍ଷା ଚାଲିଛି ଆସନ୍ତା ୫/୭ ଦିନ ପର୍ଯ୍ୟନ୍ତ ମଧ୍ୟ ସେମିତି ଚାଲିବ । ସେପ୍ଟେମ୍ୱର ମାସରେ କିଭଳି ବର୍ଷା ହେବ, ତା’ର ଆକଳନ ଚଳିତ ମାସ ୩୧ ତାରିଖ କିମ୍ୱା ସେପ୍ଟେମ୍ୱର ପହିଲାରେ କରାଯିବ ବୋଲି ସେ କହିଛନ୍ତି ।

ସୋଆ ଜଳବାୟ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି ସକାଳେ ଖରା ରହିବ । ଉପରବେଳା କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ମାସ ଶେଷ ସୁଦ୍ଧା ବିଶେଷ ବର୍ଷାର ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ହେବ । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଉପରବେଳା ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୨୯ କିମ୍ବା ୩୦ ଆଡକୁ ଏକ ଦୁର୍ବଳ ଲଘୁଚାପ ସମ୍ଭାବନା ରହିଛି । ଯାହାର ପ୍ରଭାବ ଆନ୍ଧ୍ରରେ ଅଧିକ ରହିବ । ଓଡ଼ିଶାରେ ଘୂର୍ଣ୍ଣିବଳୟ ପ୍ରଭାବରେ ତୁହାକୁ ତୁହା ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ବୋଲି ଡ. ସାହୁ ଆକଳନ କରିଛନ୍ତି ।

Leave a Reply

Your email address will not be published.