କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ ବେଞ୍ଚ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


କଟକ: ଆୟକର ଆପିଲେଟ ଟ୍ରିବ୍ୟୁନାଲ ତଥା ଆଇଟିଏଟିର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସରକୁ ଭିଡିଓ କନ୍ଫରେନସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ଜଗନ୍ନାଥଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନିଜର ଅବିଭାଷଣ ଆରମ୍ଭ କରିଥିବା ବେଳେ କଟକରେ ଆଇଟିଏଟିକୁ ଶୁଭରମ୍ଭରେ ପ୍ରମୁଖ ହାତଟା ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ମନେପକାଇଥିଲେ।ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ଓ ନ୍ୟାୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି ଭଟ୍ଟ, କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡର ଅଧ୍ୟକ୍ଷ ଶ୍ରୀ ପି.ସି. ମୋଦୀ ପ୍ରମୁଖ ଯୋଗଦାନ କରିଥିଲେ। ଆଇଟିଏଟିର ଲକ୍ଷ୍ୟ ହେଉଛି “ନିରପେକ୍ଷ ସୁଲଭ ସତ୍ବର ନ୍ୟାୟ”, ଯାହାର ଅର୍ଥ ନିରପେକ୍ଷ, ସହଜ ଓ ଦ୍ରୁତ ନ୍ୟାୟ। ପୂର୍ବରୁ ରାଜ୍ୟବାସୀଙ୍କୁ ତ୍ୱରିତ ନ୍ୟାୟ ନିମନ୍ତେ କଲିକତା ଉପରେ ନିର୍ଭର କରିବାକୁ ପଡୁଥିଲା। ମାତ୍ର ଆଜିଠାରୁ ସମସ୍ତ ନ୍ୟାୟିକ ବ୍ୟବସ୍ଥା ଏଠାରୁ ହିଁ ମିଳିପାରିବ। ଆଇଟିଏଟି କଟକ ବେଞ୍ଚ ୧୯୭୦ରେ ଏହା ପ୍ରତିଷ୍ଠା କରାଯାଇଥିଲା ବେଳେ ଏହା ୫୦ ବର୍ଷ ଧରି ଭଡ଼ା ଘରେ ଚାଲି ଆସୁଥିଲା । ୨୦୧୫ରେ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଇଥିବା ୧.୬୦ ଏକର ଜମିରେ ଆଇଟିଏଟିର ନୂଆ କାର୍ଯ୍ୟାଳୟ ତଥା ଆବାସିକ ପରିସର ନିର୍ମିତ ହୋଇଛି । ମୋଟ ୧୯୩୮ ବର୍ଗମିଟର ସ୍ଥାନରେ କାର୍ଯ୍ୟାଳୟ ପରିସର ନିର୍ମାଣ କରାଯାଇଛି । ତିନି ମହଲା ବିଶିଷ୍ଟ ଅଟ୍ଟାଳିକାରେ ବଡ଼ କୋର୍ଟ କକ୍ଷ, ଅତ୍ୟାଧୁନିକ ରେକର୍ଡ କକ୍ଷ, ବେଞ୍ଚର ସଦସ୍ୟମାନଙ୍କ ପାଇଁ ସୁବ୍ୟବସ୍ଥିତ ଚାମ୍ବର୍ସ, ପାଠାଗାର କକ୍ଷ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ଆଦି ରହିଛି । ଏହି ଅବସରରେ, ଆଇଟିଏଟି ଉପରେ ଏକ ଇ-କଫି ଟେବୁଲ ପୁସ୍ତିକା ଏବଂ ‘୨୦୧୪ ପରଠାରୁ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ସଂସ୍କାର’ ଶୀର୍ଷକ ଇ-ପୁସ୍ତିକା ଉନ୍ମୋଚିତ କରାଯାଇଛି । ଝାଡ଼ଖଣ୍ଡ ଓ ଗୁଜରାଟ ଉଚ୍ଚ ନ୍ୟାୟାଳୟର ପୂର୍ବତନ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପି. ପି. ଭଟ୍ଟ ବର୍ତ୍ତମାନ ଏହାର ମୁଖ୍ୟ ଅଛନ୍ତି । ପ୍ରଥମ ଟ୍ରିବ୍ୟୁନାଲ ଭାବେ ୨୫ ଜାନୁଆରୀ, ୧୯୪୧ରେ ଆଇଟିଏଟି ପ୍ରତିଷ୍ଠା କରାଯାଇଥିଲା ଏବଂ ଏହା “ମୂଳ ଟ୍ରିବ୍ୟୁନାଲ” ଭାବେ ପରିଚିତ । ପ୍ରଥମେ ଦିଲ୍ଲୀ, ବମ୍ବେ ଓ କଲିକତାରେ ତିନୋଟି ବେଞ୍ଚ ସହିତ ୧୯୪୧ରେ ଏହା ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ଭାରତର ୩୦ଟି ସହରରେ ଏହାର ୬୩ଟି ବେଞ୍ଚ ଓ ଦୁଇଟି ସର୍କିଟ ବେଞ୍ଚ ରହିଛି ।

Leave a Reply

Your email address will not be published.