ବିନା ଭକ୍ତରେ ଚାଲିଛି ସ୍ନାନଯାତ୍ରା

ପୁରୀ: ଆଜି ହେଉଛି ମହାପ୍ରଭୁଙ୍କ ମହାସ୍ନାନଯାତ୍ରା ।କରୋନା କଟକଣା ଲାଗି ବିନା ଭକ୍ତରେ ଚାଲିଛି ସ୍ନାନଯାତ୍ରା । ରଥଯାତ୍ରାର ଆଦ୍ୟପର୍ବ ଭାବେ ପାଳିତ ହୁଏ ଏହି ଦିବ୍ୟ ତଥା ପବିତ୍ର ସ୍ନାନଯାତ୍ରା । ଆଜି ମହାପ୍ରଭୁ ୧୦୮ ଗରା ଜଳରେ ସୁବାସିତ ସ୍ନାନ କରିବେ । ସେଥିଲାଗି ଧାଡି ପହଣ୍ଡି କରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ସ୍ନାନ ଦେବୀରେ ବିଜେ କରିସାରିଛନ୍ତି ।

ଗଜପତି ଛେରା ପହଁରା କରିବେନି ସେଥିଲାଗି ତାଙ୍କ ପ୍ରତିନିଧି ମୁଦିରସ୍ତ ଉକ୍ତ କାର୍ଯ୍ୟ କରିବେ ବୋଲି ସୂଚନା ଦିଆଯାଇଛି । ଆଜିର ମହାସ୍ନାନ ପରେ ଜଗତର ନାଥ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ୧୫ ଦିନ ପାଇଁ ଅଣସର ଘରେ ରହିବେ । ମହାପ୍ରଭୁଙ୍କ ଜ୍ବର ହେବ ଓ ସେଥିଲାଗି ବୈଦ୍ୟଙ୍କ ଦ୍ବାରା ନିର୍ଦ୍ଧାରିତ ବିଧିସମ୍ମତ ସେବାଶୁଶ୍ରୁଷା ମଧ୍ୟ କରାଯିବ ।

ବଡଠାକୁରଙ୍କ ପାଇଁ ସ୍ବତନ୍ତ୍ର ପାକ ମଧ୍ୟ ରନ୍ଧାଯିବ । କରୋନା କଟକଣାରେ ସମସ୍ତ ନୀତିକାନ୍ତି ଆଗେଇ ଚାଲିଛି ।  ସୂଚନାଯୋଗ୍ୟ, କୋଭିଡ୍ ସଂକ୍ରମଣ ନିରାକରଣ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଏସ୍‌ଓପି ଜାରି କରିଛନ୍ତି । କୋଭିଡ୍ କଟକଣା ଏବଂ ସଂକ୍ରମଣ ନିରାକରଣ ପାଇଁ ପ୍ରଶାସନ ଶ୍ରୀମନ୍ଦିର ଚୌହଦିରେ ଜୁନ ୨୩ ତାରିଖ ରାତି ୧୦ଟାରୁ ୧୪୪ ଧାରା କଟକଣା ଜାରି ହୋଇଛି । ସ୍ନାନପର୍ବ ଅବସରରେ ଚୌହଦିର ପାଖାପାଖି ଇଲାକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

ଏହି ସ୍ଥାନରେ ସାତରୁ ଅଧିକ ଲୋକଙ୍କ ସମାବେଶ ଉପରେ ନିଷେଦ୍ଧାଦେଶ ଜାରି ହୋଇଛି । ସହରର ସମସ୍ତ ପ୍ରବେଶ ପଥରେ ପୋଲିସ ପିକେଟିଂ କ୍ୟାମ୍ପ୍ ଲାଗିଛି । ଏହି କଟକଣା ସମ୍ପର୍କରେ ପୁରୀ ପ୍ରଶାସନ ସହରବାସୀଙ୍କୁ ଅବଗତ କରାଇବା ସହ ସହଯୋଗ କରିବାକୁ ନିବେଦନ କରିଛି ।

Leave a Reply

Your email address will not be published.