ପ୍ରଧାନମନ୍ତ୍ରୀ ଆଜି ଆସିବେ ଓଡିଶା, ବାତ୍ୟା କ୍ଷୟକ୍ଷତି କରିବେ ଆକଳନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଆସୁଛନ୍ତି । ଓଡ଼ିଶା ଓ ପଶ୍ଚିମବଙ୍ଗରେ ବାତ୍ୟା ‘ୟାସ୍’ର ତାଣ୍ଡବ ଯୋଗୁଁ ହୋଇଥିବା କ୍ଷତିର ଆକାଳନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ପ୍ରଭାବିତ ଦୁଇ ରାଜ୍ୟ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରେ ଅବତରଣ କରି ଏକ ସମୀକ୍ଷା ବୈଠକ କରିବେ। ତା’ପରେ ସେ ଆକାଶ ମାର୍ଗରେ ବାଲେଶ୍ୱର, ଭଦ୍ରକ ଏବଂ ପୂର୍ବ ମେଦିନୀପୁରର ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକ ବୁଲି ଦେଖିବେ। ତାଙ୍କ ସହିତ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସାରିବା ପରେ ସେ ପଶ୍ଚିମବଙ୍ଗରେ ସମୀକ୍ଷା ବୈଠକରେ ଅଂଶ ଗ୍ରହଣ କରିବେ ଏବଂ ସେଠାରେ ମଧ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ।

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ପଶ୍ଚିବଙ୍ଗ ଓ ଓଡ଼ିଶାର ପ୍ରଭାବିତ ଅଞ୍ଚଳଗୁଡ଼ିକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିଦର୍ଶନ କରି ସହାୟତା ରାଶି ଘୋଷଣା କରିଥିଲେ। ପଶ୍ଚିମବଙ୍ଗକୁ ୧୦୦୦ କୋଟିର ସହାୟତା ରାଶିର ଘୋଷଣା କରିଥିବା ବେଳେ ଓଡ଼ିଶାକୁ ୫୦୦ କୋଟିର ସହାୟତା ଘୋଷଣା କରାଯାଇଥିଲା। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ‘ୟାସ୍‌’ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପରେ ଦୁଇ ରାଜ୍ୟ ପାଇଁ ଅନ୍ତରୀଣ ସହାୟତା ରାଶିର ଘୋଷଣା କରିବେ। ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଖୁବ୍ ଶୀଘ୍ର କେନ୍ଦ୍ରୀୟ ଟିମ୍ ପଠାଇବାର ମଧ୍ୟ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

ଗୁରୁବାର ଦିନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ‘ୟାସ୍’ର ପ୍ରଭାବ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ସମୀକ୍ଷା ବୈଠକରେ ଅଧିକାରୀମାନେ ବାତ୍ୟା ପାଇଁ ପ୍ରସ୍ତୁତି, କ୍ଷୟକ୍ଷତିର ଆକଳନ ଆଦି ପ୍ରସଙ୍ଗରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ଏନ୍‌ଡିଆରଏଫ୍‌ର ୧୦୦ ଟିମ୍‌ରୁ ୪୬ଟି ଲେଖାଏ ଟିମ୍ ଓଡ଼ିଶା ଓ ପଶ୍ଚିମବଙ୍ଗରେ ମୁତୟନ କରାଯାଇଥିବାର ଅବଗତ କରାଯାଇଥିଲା। ଅଧିକାରୀମାନେ ଆହୁରି କହିଥିଲେ ଯେ କ୍ଷୟକ୍ଷତି ନେଇ ରାଜ୍ୟମାନେ ଆକଳନ ଜାରି ରଖିଛନ୍ତି। ଜଳମଗ୍ନ କାରଣରୁ ଯେଉଁ କ୍ଷତି ହୋଇଛି ତାହାର ଆକଳନ କରାଯାଉଛି। ଅଧିକାଂଶ ପ୍ରଭାବିତ ଅଞ୍ଚଳରେ ଶକ୍ତି ଓ ଟେଲିକମ୍ ସେବାକୁ ପୂର୍ବାବସ୍ଥାକୁ ଅଣାଯାଇଛି।

ପ୍ରଭାବିତ ଅଞ୍ଚଳରେ ସ୍ୱାଭବିକ ଜୀବନ ଯେଭଳି ଶୀଘ୍ର ଫେରିଆସେ ତଥା ପ୍ରଭାବିତଙ୍କୁ ରିଲିଫ୍ ଯେଭଳି ଉପଯୁକ୍ତ ରୂପେ ବଣ୍ଟନ କରାଯାଏ ସେନେଇ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସମୀକ୍ଷା ବୈଠକରେ ପ୍ରଧାମନ୍ତ୍ରୀଙ୍କ ପ୍ରମୁଖ ସଚିବ, କେନ୍ଦ୍ର ଗୃହ ସଚିବ, ଟେଲିକମ୍ ଓ ଶକ୍ତି ମନ୍ତ୍ରାଳୟ ସଚିବ, ଆଇଏମ୍‌ଡିର ମହାନିର୍ଦ୍ଦେଶକ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published.