ଅସହ୍ୟ ଶୀତରେ ଥରୁଛି ପୂରା ଓଡ଼ିଶା, ଆଗାମୀ ୩ ଦିନ ଏଭଳି ରହିବ ପାଗ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଅସହ୍ୟ ଶୀତରେ ଥରୁଛି ପୂରା ଓଡ଼ିଶା । ଜାଡ ପ୍ରକୋପ ଦିନ ପ୍ରତିଦିନ ବଢ଼ିବାରେ ଲାଗିଛି । ଉପକୂଳରୁ ଆଭ୍ୟନ୍ତର ସବୁଠି ଅସହ୍ୟ ଶୀତ ଜାରି ରହିଛି । ଏହାସହ କନ୍ଧମାଳ ଓ ଫୁଲବାଣୀରେ ଅସହ୍ୟ ଶୀତ ଅନୁଭୂତ ହେଉଛି । ତେବେ ରାଜ୍ୟରେ ଆଗାମୀ ୨ରୁ ୩ ଦିନ ଧରି କୋଲ୍ଡ ୱେଭ୍ ଜାରି ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ରାଜ୍ୟର ୧୭ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । କନ୍ଧମାଳ, କୋରାପୁଟ ଏବଂ କେନ୍ଦୁଝରର ଦୁର୍ଗମ ଅଞ୍ଚଳରେ ତୁଷାରପାତ ହେଉଛି । ଶୀତ ସାଙ୍ଗକୁ ଅନେକ ସ୍ଥାନରେ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ସକାଳ ୧୦ଟା ନହେଲେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି ।

ସେହିପରି ଗାଁ ଗହଳିରେ ଲୋକେ ସନ୍ଧ୍ୟାରୁ ତାଟି କବାଟ ଦେଇ ଘରେ ରହୁଛନ୍ତି । ରାସ୍ତାଘାଟ ଶୂନଶାନ, ଦୋକାନ ବଜାର ବନ୍ଦ ହୋଇଯାଉଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ବସିରହୁଥିବା ଦେଖିବାକୁ ମିଳୁଛି । ଫୁଲବାଣଈରେ ସର୍ବନିମ୍ନ ତାପମାତ୍ରା ୩ ଦଶମିତ ୬ ଡିଗ୍ରୀ ଓ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ କରାଯାଇଛି । ଏହାସହିତ ଆସନ୍ତା ୨୪ ଘଣ୍ଟାରେ ୧୩ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଭବାନୀପାଟଣା, ସୋନପୁର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ନବରଙ୍ଗପୁର ଆଜି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେବ । ଏନେଇ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave a Reply

Your email address will not be published.