ଆସନ୍ତାବର୍ଷ ୟୁପିରେ ହେବ ବିଧାନସଭା ନିର୍ବାଚନ, ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତାବର୍ଷ ୟୁପିରେ ହେବ ବିଧାନସଭା ନିର୍ବାଚନ । ଯାହାକୁ ନେଇ ବିଜେପିର ରଣନୀତି ଏବେଠୁ ପ୍ରସ୍ତୁତ ହୋଇସାରିଛି । ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଲଢ଼ାଯିବ ୟୁପିର ବିଧାନସଭା ନିର୍ବାଚନ । ନୂଆଦିଲ୍ଲୀରେ ଅନୁଷ୍ଠିତ ଆରଏସ୍‌ଏସ୍‌ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତା’ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୟୁପି ଓ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ଚେହେରା ହେବେନାହିଁ । ସଂଘ ଅନୁସାରେ ଆଞ୍ଚଳିକ ନେତାମାନଙ୍କ ବଦଳରେ ମୋଦିଙ୍କ ଚେହେରାକୁ ସାମ୍ନାରେ ରଖିବାରୁ ତାଙ୍କ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେଉଛି ।

ବିରୋଧୀ ତାଙ୍କୁ ବିନା କାରଣରେ ଟାର୍ଗେଟ୍‌ କରୁଛନ୍ତି । ପଶ୍ଚିମବଙ୍ଗରେ ମମତା ବନାମ ମୋଦି ରଣନୀତି ଯୋଗୁ କ୍ଷତି ହେଲା । ନିର୍ବାଚନ ହାରିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିରୋଧୀଙ୍କୁ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାର ସୁଯୋଗ ମିଳିଲା । ଏହାଯୋଗୁ ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚୁଛି । ଏହା ପୂର୍ବରୁ ୨୦୧୫ରେ ବିହାର ବିଧାନସଭା ନିର୍ବାଚନରେ ନୀତୀଶ କୁମାରଙ୍କ ବିରୋଧରେ ଓ ଦିଲ୍ଲୀରେ କେଜରିୱାଲଙ୍କ ବିରୋଧରେ ଏହି ରଣନୀତି ଯୋଗୁ କିଛି ସଫଳତା ମିଳିନଥିଲା । ତେଣୁ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ଯୋଗୀଙ୍କ ଉପରେ ଭରସା ଏଥିପାଇଁ କରାଯାଉଛି ଯେ ପୂର୍ବ ୟୁପିରେ ତାଙ୍କ ଚେହେରା ମୁସଲମାନ ବିରୋଧୀ ନୁହେଁ । ଗୋରଖପୁର ନିକଟବର୍ତ୍ତୀ ଅଞ୍ଚଳରେ ମୁସଲମାନ ଓ ପଛୁଆଜାତିର ଲୋକଙ୍କ ବିଶ୍ୱାସ ଗୋରଖନାଥ ମନ୍ଦିର ଉପରେ ରହିଛି । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଯୋଗୀ ଆଦିତ୍ୟନାଥ ମନ୍ଦିରର ମହନ୍ତ ଭାବେ ସ୍ଥାନୀୟ ମୁସଲମାନଙ୍କର ବିବାଦକୁ ମନ୍ଦିରରେ ବସି ସମାଧାନ କରୁଥିଲେ । ସେମାନଙ୍କର ସହାୟତା ବି କରୁଥିଲେ । ମକରସଂକ୍ରାନ୍ତି ଅବସରରେ ମନ୍ଦିରରେ ଲାଗୁଥିବା ମେଳାରେ ଅଧିକ ମୁସଲମାନ ବ୍ୟବସାୟୀ ଦୋକାନ ଲଗାଇଥାନ୍ତି । ଏସବୁକୁ ଦୃଷ୍ଟିରେ ରଖି ଏଥରକ ଯୋଗୀଙ୍କ ଉପରେ ଆସ୍ଥା ସ୍ଥାପନ କରାଯାଉଛି । ସେହିପରି ଆଗାମୀ ୟୁପି ବିଧାନସଭା ନିର୍ବାଚନରେ ଦଳ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବା ନେଇ ବିଚାର ହୋଇଛି ।

Leave a Reply

Your email address will not be published.