ପଞ୍ଚାୟତ ଅଫିସ ଆଗରେ ଧାରଣା ଦେଲେ ୱାର୍ଡମେମ୍ବର ପ୍ରାର୍ଥୀ ଓ ତାଙ୍କ ସମର୍ଥକ

କଟକ, (ନାଗରାଜ ନ୍ୟୁଜ): ୱାର୍ଡ ମେମ୍ବର ଭାବେ ନିର୍ବାଚନ ଜିତିଥିଲେ ବୋଲି ଗଣତି ଦିନ ମାଇକରେ ଘୋଷଣା ହେଲା । ସେ ନିଜେ ମଧ୍ୟ କାଉଂଟିଂ ରୁମ୍ ରେ ଏଜେଣ୍ଟ ଥିଲେ। ସବୁକିଛି ଠିକଥିଲା। ହେଲେ ବ୍ଲକ ଅଫିସରୁ ଏଇ କିଛି ଦିନ ପୂର୍ବେ ଆସିଲା ପରାଜୟ ଚିଠି । ସେଥିରେ ପରାଜିତ ପ୍ରାର୍ଥୀଙ୍କ ବିଜୟ ହୋଇଥିବା ଲେଖା ଥିଲା ।  ତେବେ ବ୍ଲକ ପ୍ରଶାସନର ଏଭଳି ତ୍ରୁଟିଯୁକ୍ତ କାର୍ୟ୍ୟ ଓ ଆଜି ନାୟବ ସରପଞ୍ଚ ନିର୍ବାଚନ ବନ୍ଦ କରିବା ପାଇଁ ପଞ୍ଚାୟତ ଅଫିସ ଗେଟରେ ତାଲା ପକାଇ ପୂର୍ବରୁ ଘୋଷିତ ୱାର୍ଡମେମ୍ବର ପ୍ରାର୍ଥୀ ଓ ତାଙ୍କ ସମର୍ଥକ ପଞ୍ଚାୟତ ଅଫିସ ଆଗରେ ଧାରଣାରେ ବସିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ସାଲେପୁର ବ୍ଲକ ଶିଶୁଆ ଗ୍ରାମ ପଂଚାୟତରେ । ଅଭିଯୋଗ ଅନୁଯାୟୀ ଏହି ପଞ୍ଚାୟତର ୭ ନମ୍ବର ୱାର୍ଡର ୱାର୍ଡମେମ୍ବର ପ୍ରାର୍ଥୀ ଜୟଦେବ ରାଉତ ୧୦୯ ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ଜିତିଥିଲେ ହେଲେ ବ୍ଲକରୁ ଚିଠି ଆସିଲା ସେ ହାରିଛନ୍ତି। ସେଥିପାଇଁ ସେ ଓ ତାଙ୍କ ସମର୍ଥକ ନାଏବ ସରପଞ୍ଚ ନିର୍ବାଚନ ନକରାଇଦେବା ଓ ପୁନଃ ଭୋଟ ଗଣତି ଦାବିରେ ପଂଚାୟତ ଅଫିସ ସମ୍ନାରେ ବହୁ ସମୟ ଧରି ଧାରଣାରେ ବସିବା ପରେ ସ୍ଥାନୀୟ ବିଡ଼ିଓ, ତହସିଲଦାର ଓ ପୋଲିସ ଆସି ସେମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଲିଖିତ ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।

Leave a Reply

Your email address will not be published.