ଜାଣନ୍ତୁ ‘ବୁଲିବାଇ ଆପ୍’ ଜରିଆରେ କିପରି କରାଯାଏ ଅପରାଧ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ‘ବୁଲିବାଇ ଆପ୍’ କୁ ନେଇ ଦେଶବ୍ୟାପି ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ତଦନ୍ତ ଜୋରଦାର ହେଉଛି । ଜଣେ ପରେ ଜଣେ ଅଭିଯୁକ୍ତକୁ ଖୋଜି ବାହାର କରିବାରେ ଲାଗିଛି ସ୍ପେଶାଲ ଟିମ୍ । ମନରେ ପ୍ରଶ୍ନ ଉଠୁଥିବ । ଏହି ‘ବୁଲିବାଇ ଆପ୍’ କଣ । ବୋଲିର ଅର୍ଥ ନିଲାମି । ବୁଲିକୁ ମଧ୍ୟ ସମାନ ଅର୍ଥରେ ବ୍ୟବହାର କରାଯାଏ । ତାହାକୁ ଆଧାର କରି ତିଆରି ହୋଇଛି ‘ବୁଲିବାଇ’ ଆପ୍ ।
ଏହି ଆପ୍ ଜରିଆରେ ସମାଜ ସେବା, ସାମ୍ବାଦିକତା କ୍ଷେତ୍ରରେ କାମ କରୁଥିବା ମୁସଲିମ୍ ମହିଳାମାନଙ୍କ ଫଟୋକୁ ଚୋରି କରିବା ପରେ ଏଡିଟ୍ କରି ଏହାକୁ ଏହି ଆପ ଜରିଆରେ ଛଡ଼ାଯାଏ । ଫଟୋ ସହିତ ସମ୍ପୃକ୍ତ ଯୁବତୀ ବ୍ୟବହାର କରୁଥିବା ସୋସିଆଲ୍ ମିଡିଆ ଆକାଉଣ୍ଟ ଟ୍ବିଟର୍, ଫେସବୁକ, ଇନଷ୍ଟାଗ୍ରାମକୁ ଯୋଡ଼ି ଦିଆଯାଏ । ସାଇବର ଜ୍ଞାନକୌଶଳକୁ ବ୍ୟବହାର କରି ଏ ସବୁ କରିଥାନ୍ତି ଅପରାଧୀ । ଏହାକୁ ‘ବୁଲିବାଇ’ ଆପରେ ଛାଡ଼ି ଦିଆଯାଏ ।
ଯେଉଁମାନେ ଏହି ଆପ୍ ବିଷୟରେ ଜାଣିଥା’ନ୍ତି ଓ ଅପରାଧିକ କାର୍ୟ୍ୟ କରିବାକୁ ଯୋଜନା ରଖିଥାନ୍ତି ସେମାନେ ଛଡ଼ା ଯାଇଥିବା ଯୁବତୀଙ୍କ ଫଟୋକୁ ନିଲାମି ଡାକନ୍ତି ।

ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଜରିଆରେ ନିଲାମୀ ଅର୍ଥ ଦେଇଥାନ୍ତି। ଏପରିକି କ୍ରିପ୍ଟୋ କରେନ୍ସିରେ ମଧ୍ୟ ଦିଆ ଯାଉଥିବା ଜଣାପଡ଼ିଛି । ଯିଏ ଅଧିକ ନିଲାମି ଡାକିଲା ସମ୍ପୃକ୍ତ ବ୍ୟକ୍ତି ସେହି ଯୁବତୀଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ସହ ସିଧାସଳଖ ଯୋଡ଼ି ହୋଇଯାଏ । ସେଥିରେ ଆପତ୍ତିଜନକ, ଅପମାନଜନକ ମନ୍ତବ୍ୟ ଯୁକ୍ତ ମେସେଜ୍ ଛାଡ଼ିଥାଏ । ଯାହା ଦ୍ୱାରା ସମ୍ପୃକ୍ତ ଯୁବତୀଙ୍କର ସମ୍ମାନହାନି ହୋଇଥାଏ । ‘ବୁଲିବାଇ’ ଆପକୁ ନେଇ ଯେତେବେଳେ ହଇଚଇ ସୃଷ୍ଟି ହୋଇଥିଲା ସେତେବେଳେ ଏହାର ଉତ୍ପତ୍ତିକୁ ନେଇ ଆରମ୍ଭ ହୋଇଥିଲା ଖୋଳତାଡ଼ । କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍(ସିଇଆରଟି ବା ସର୍ଟ)କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ସର୍ଟ ତଦନ୍ତ କରି ଜାଣିବାକୁ ପାଇଥିଲା ‘ଗିଟ୍‌ହବ’ରୁ ଏହି ଆପ୍ ବା ଆପ୍ଲିକେସନ୍ ମିଳିଥିଲା । ଗିଟହବ୍‌ରେ ଉପଲବ୍ଧ ହେଉଥିବା ଆପ୍ ସହଜରେ ମିଳିଯାଇ ଥାଏ । ଏହାକୁ ବ୍ୟବହାର କରି କୌଣସି ଏକ ନୂଆ ଆପର ସଫ୍ଟଓ୍ଵେୟାର ବିକାଶ କରା ଯାଇଥାଏ ଓ ଏହାକୁ ଉପଲବ୍ଧ କରାଯାଏ ।

Leave a Reply

Your email address will not be published.