ଅଟୋ, ଟ୍ୟାକ୍ସି ଚାଳକଙ୍କ ପାଇଁ ଖୁସି ଖବର: ସହାୟତାର ହାତ ବଢାଇଲେ ସରକାର


ନୂଆଦିଲ୍ଲୀ: କରୋନା ସଂକ୍ରମଣର ବିପର୍ଯ୍ୟୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ଦିଲ୍ଲୀରେ ସମସ୍ତଙ୍କୁ ଦୁଇମାସର ମାଗଣା ରାସନ ମିଳିବ, ସେହିପରି ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ।

ଦିଲ୍ଲୀରେ ୭୨ ଲକ୍ଷ ରାଶନ କାର୍ଡ ଧାରୀ ଏଥିରେ ଉପକୃତ ହେବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର ସମସ୍ତ ଅଟୋ ଚାଳକ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କୁ ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ। ସରକାରଙ୍କ ହିସାବରେ ଦେଢ଼ ଲକ୍ଷରୁ ଅଧିକ ଡ୍ରାଇଭର ଏଥିରେ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁଇମାସ ମାଗଣାରେ ରାସନ ପାଇବା ଅର୍ଥ ନୁହେଁ ଯେ ତାଲାବନ୍ଦ ଦୁଇ ମାସ ପର୍ଯ୍ୟନ୍ତ ଜାରି ରହିବ। ଆମେ ପରିସ୍ଥିତିକୁ ସୁଦୃଢ କରିବାକୁ ଚାହୁଁଛୁ, ସଂକ୍ରମଣ ହ୍ରାସ ହେଲେ ଶୀଘ୍ର ତାଲାବନ୍ଦ ଉଠିଯିବ।

ବର୍ତ୍ତମାନ ଦିଲ୍ଲୀରେ ମହାମାରୀର ଭୟଙ୍କର ସ୍ଥିତି ରହିଛି, ଯେଉଁଠି ଯାହାକୁ ସାହାଯ୍ୟର ଆବଶ୍ୟକତା ପଡୁଛି ସମସ୍ତେ ତାଙ୍କୁ ସାହାଯ୍ୟ କରିବାକୁ ଜନସାଧାରଣଙ୍କୁ ସେ ଅପିଲ କରିଛନ୍ତି।

ଗତ କିଛି ଦିନ ଧରି ଦିଲ୍ଲୀରେ ପ୍ରତିଦିନ କୋଡ଼ିଏ ହଜାରରୁ ଅଧିକ ସଂକ୍ରମଣ ମାମଲା ଏବଂ ଚାରି ଶହରୁ ଅଧିକ ମୃତ୍ୟୁ ହେଉଥିବା ଦେଖାଦେଉଛି। ଦିଲ୍ଲୀର ଡାକ୍ତରଖାନା ଗୁଡ଼ିକରେ ଶଯ୍ୟା, ଅମ୍ଳଜାନ ଏବଂ ଅନ୍ୟାନ୍ୟ ସୁବିଧାର ଆହୁରି ଆବଶ୍ୟକତା ରହିଛି।

Leave a Reply

Your email address will not be published.