କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଲକଡାଉନ ଉପରେ ବିଚାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଦିନ ପ୍ରତିଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । କରୋନା ମହାମାରୀର ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଦୈନିକ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଘାତକ ହେଉଛି କରୋନାର ଦ୍ବିତୀୟ ଲହର । ଏଭଳି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ୍ ଉପରେ ବିଚାର କରନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଲୋକଙ୍କ କଲ୍ୟାଣ ଓ ହିତକୁ ଦୃଷ୍ଟିରେ ରଖି ଭାଇରସ ଉପରେ ଅଙ୍କୁଶ ଲଗାଇବା ପାଇଁ ଲକଡାଉନ୍ ଜରୁରୀ । ତେଣୁ ଏଦିଗରେ ସରକାର ବିଚାର କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଲକଡାଉନର ପ୍ରଭାବ ସାମାଜିକ ଓ ଆର୍ଥିକ ସ୍ତରରେ କିଭଳି ନପଡିବ ସେଦିଗରେ ସରକାର ଚିନ୍ତା କରନ୍ତୁ। ଯେଉଁ ଲୋକମାନଙ୍କ ଉପରେ ସିଧା ସଳଖ ଭାବରେ ଲକଡାଉନର ପ୍ରଭାବ ପଡିବ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଉ। ଏହାସହ ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି କୋର୍ଟ କହିଛନ୍ତି ଯେ, ଯଦି କୌଣସି ନାଗରିକ ପାଖରେ ସ୍ଥାନୀୟ ପମାଣ ପତ୍ର ନାହିଁ ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ କେହି ମନା କରିପାରିବେ ନାହିଁ ।

ଏହାପୂର୍ବରୁ କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମେ ୩ ପୂର୍ବରୁ ଅକ୍ସିଜେନ ଅଭାବ ଦୂର କରିବାକୁ କହିଥିଲେ । ଏହାସହ ଅକ୍ସିଜେନ ବିତରଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଥିଲେ । ଏହା ସହ ଅକ୍ସିଜେନ ଅଭାବ କିମ୍ବା ଔଷଧ ଅଭାବ ହେଉକି ମେଡିକାଲ ସମସ୍ୟାକୁ ନେଇ ଯଦି କେହି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ତେବେ ସେମାନଙ୍କ ବିରୋଧରେ କା‌ର୍ଯ୍ୟାନୁଷ୍ଠାନ ହେବ ନାହିଁ। ଯଦି କା‌ର୍ଯ୍ୟାନୁଷ୍ଠାନ ନିଆଯାଏ ତେବେ କୋର୍ଟ ଏହା ଉପରେ ଅବମାନନା ମାମଲା ରୁଜୁ କରିବ।

Leave a Reply

Your email address will not be published.