ଜୁନ ୨୦ ସୁଦ୍ଧା ପ୍ରକାଶ ପାଇବ ସିବିଏସ୍ଇ ରେଜଲ୍ଟ

ଭୁବନେଶ୍ୱର: ଜୁନ୍‌ ୨୦ ସୁଦ୍ଧା ପ୍ରକାଶ ପାଇବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏନେଇ ନିୟମାବଳୀ ଜାରି କରିଛି ସିବିଏସ୍‌ଇ ।

ଗାଇଡଲାଇନ୍‌ ଅନୁସାରେ ଚଳିତ ମାସ ୫ ତାରିଖ ସୁଦ୍ଧା ସବୁ ସ୍କୁଲରେ ୮ ଜଣିଆ ରେଜଲ୍ଟ କମିଟି ଗଠନ କରାଯିବ। ସ୍କୁଲ୍‌ ଅଧ୍ୟକ୍ଷ ଓ ଅନ୍ୟ ୭ ଶିକ୍ଷକଙ୍କୁ ନେଇ ଏହି କମିଟି ଗଢ଼ା ହେବ । ୭ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ନିଜ ସ୍କୁଲର ଏବଂ ଅନ୍ୟ ୨ ଜଣ ପାଖ ସ୍କୁଲରୁ ଆସିବେ। ବର୍ଷ ସାରା ହୋଇଥିବା ପରୀକ୍ଷା ଆଧାରରେ ୮୦ ମାର୍କର ମୂଲ୍ୟାୟନ ହେବ । ଅବଶିଷ୍ଟ ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟରୁ ନିର୍ଦ୍ଧାରଣ କରାଯିବ । ଜୁନ୍‌ ୫ ସୁଦ୍ଧା ପରୀକ୍ଷା ଆଧାରରେ ୮୦ ମାର୍କର ମୂଲ୍ୟାୟନ ତାଲିକା ସିବିଏସଇକୁ ପଠାଯିବ । ଜୁନ୍‌ ୧୧ ସୁଦ୍ଧା ଇଣ୍ଟରନାଲ ୨୦ ମାର୍କର ମୂଲ୍ୟାୟନ ତାଲିକା ପଠାଯିବ ।

କୋଭିଡ୍‌ ପାଇଁ ଗତ ମାସରେ ସିବିଏସ୍‌ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍‌ କରାଯାଇଥିଲା । ତେବେ ସେମାନେ କେଉଁ ଆଧାରରେ ଏକାଦଶକୁ ଯିବେ ସେନେଇ ବୋର୍ଡ ନିୟମାବଳୀ ପ୍ରସ୍ତୁତ କରିଛି । ଛାତ୍ରଛାତ୍ରୀଙ୍କୁ ପ୍ରତି ବିଷୟରେ ଶହେ ମାର୍କରୁ ନମ୍ବର ମିଳିବ । ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତବର୍ଷ ମଧ୍ୟ ଇଣ୍ଟରନାଲ୍‌ ଆସେସମେଣ୍ଟ୍‌ ୨୦ ମାର୍କ ନିୟମ ଅପରିବର୍ତ୍ତିତ ରହିଛି। ତେବେ ଅବଶିଷ୍ଟ ୮୦ ମାର୍କ ସ୍କୁଲ କର୍ତ୍ତୃପକ୍ଷ ପ୍ରଦାନ କରିବେ । ଏହି ୮୦ ମାର୍କକୁ ମଧ୍ୟ ୩ ଭାଗରେ ବିଭକ୍ତ କରାଯାଇଛି। ଚଳିତବର୍ଷ ସ୍କୁଲରେ ହୋଇଥିବା ୟୁନିଟ୍‌ ଟେଷ୍ଟ୍‌ ବା ପିରିଅଡିକ୍‌ ଟେଷ୍ଟରୁ ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୧୦ ମାର୍କ ଦିଆଯାଇପାରିବ । ସେହିପରି ଅର୍ଦ୍ଧବାର୍ଷିକ ବା ମିଡ୍‌ ଟର୍ମ ପରୀକ୍ଷାରୁ ୩୦ ଏବଂ ପ୍ରିବୋର୍ଡ ପରୀକ୍ଷାରୁ ୪୦ ନମ୍ବର ଦିଆଯାଇପାରିବ ।

Leave a Reply

Your email address will not be published.