ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଲେ ପଲାନିସ୍ବାମୀ

ଚେନ୍ନାଇ: ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ। ଏଆଇଏଡିଏମକେ ବିଧାନସଭାରେ ମାତ୍ର ୭୫ଟି ଆସନ ଜିତିଥିବାରୁ ପୁଣି ସରକାର ଗଠନ କରିବାକୁ ଯୋଗ୍ୟତା ହରାଇଛି। ଏହି କାରଣରୁ ପଲାନିସ୍ୱାମୀ ନିୟମ ଅନୁସାରେ ରାଜ୍ୟପାଳଙ୍କ ପାଖକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି।

ସାଲେମରୁ ନିଜ ସଚିବଙ୍କ ଜରିଆରେ ସେ ପଠାଇଥିବା ଇସ୍ତଫାପତ୍ର ଦିନ ୧ଟା ବେଳରକୁ ରାଜଭବନରେ ପହଞ୍ଚିଛି। ରାଜ୍ୟପାଳ ଏହାକୁ ଗ୍ରହଣ କରିବା ପରେ ନିର୍ବାଚନରେ ବହୁମତ ହାସଲ କରିଥିବା ଡିଏମକେ ପ୍ରମୁଖ ଏମକେ ଷ୍ଟାଲିନ ସରକାର ଗଠନ ପାଇଁ ଦାବି ଜଣାଇବେ। ଷ୍ଟାଲିନ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୭ ତାରିଖରେ ଶପଥ ନେବେ।

ଅନ୍ୟପକ୍ଷରେ ନୂଆ ସରକାର ଗଠନ ପାଇଁ ଆବଶ୍ୟକ ବ୍ୟବସ୍ଥା ସରକାରୀ ଅଧିକାରୀମାନେ ଆରମ୍ଭ କରିଛନ୍ତି। ଏଡିଏମକେ ଓ କଂଗ୍ରେସ ମେଣ୍ଟ ୨୩୪ ବିଧାନସଭା ଆସନରୁ ୧୫୭ଟିରେ ଜିତିଛନ୍ତି। ପରାଜୟକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଡିଏମକେକୁ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି, “ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଏମକେ ଷ୍ଟାଲିନଙ୍କୁ ଅନେକ ଅନେକ ଶୁଭେଚ୍ଛା।” ପଲାନିସ୍ୱାମୀଙ୍କ ଏପରି ଶୁଭେଚ୍ଛାକୁ ଷ୍ଟାଲିନ ମଧ୍ୟ ଧନ୍ୟବାଦ ଜଣାଇ ଗ୍ରହଣ କରିଛନ୍ତି। ସେ କହିଛନ୍ତି, “ଉତ୍ତମ ତାମିଲନାଡୁ ଗଠନ ପାଇଁ ଆପଣଙ୍କ ସହଯୋଗ ଓ ପରାମର୍ଶ ଜରୁରୀ। ଗଣତନ୍ତ୍ର ହେଉଛି ସରକାର ଓ ବିରୋଧୀଙ୍କ ଯୁଗଳବନ୍ଦୀ। ଗଣତନ୍ତ୍ରର ସୁରକ୍ଷା କରାଯାଉ।”

Leave a Reply

Your email address will not be published.