ପଞ୍ଜାବକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ, ଶପଥ ଗ୍ରହଣ କଲେ ଚରଣଜୀତ ସିଂହ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ଆଜି ପଞ୍ଜାବକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ଚରଣଜୀତ ସିଂହ ଶପଥ ଗ୍ରହଣ କରିଛନ୍ତି । ଚରଣଜୀତ ଚମକୌର ସାହିବ ଆସନରୁ ବିଧାୟକ ଅଛନ୍ତି । ସେ ଏହି ଆସନରୁ ଲଗାତର ୩ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ଶିରୋମଣୀ ଅକାଳୀ ଦଳ-ବିଜେପି ସରକାର ବେଳେ ୨୦୧୫-୧୬ ପର୍ୟ୍ୟନ୍ତ ସେ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ । କ୍ୟାପଟେନ ଅମରିନ୍ଦର ସିଂହଙ୍କ ନେତୃତ୍ୱାଧୀନ ପୂର୍ବ ସରକାରରେ ସେ ବୈଷୟିକ ଶିକ୍ଷା ଏବଂ ଉଦ୍ୟେଗ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଅମରିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ପଦବିରୁ ହଟାଇବା ପାଇଁ ଯେଉଁ ନେତାମାନେ ଦାବି କରୁଥିଲେ ସେମାନଙ୍କ ମଧ୍ୟରୁ ଚରଣଜିତ ଅନ୍ୟତମ । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ଇସ୍ତଫା ଦେଇଥିଲେ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ଘନିଷ୍ଠ ସହଯୋଗୀ ଭାବେ ଚରଣଜିତ ପରିଚିତ ।

ଶନିବାର ବିଧାୟକ ଦଳ ବୈଠକରେ ନୂଆ ନେତା ନିର୍ବାଚିତ ହେବାର ଥିଲା । ପୂର୍ବତନ ପିସିସି ସଭାପତି ସୁନୀଲ ଝାକଡ ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆପାତତଃ ସ୍ଥିର ହୋଇଥିଲା । କିନ୍ତୁ ପଞ୍ଜାବ ଶିଖ୍‌ ବହୁଳ ରାଜ୍ୟ ହୋଇଥିବାରୁ ଶିଖ୍‌ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବି ଉଠିଥିଲା । ରାନ୍ଧୱା ଏହି ଦାବି ଉଠାଇବା ସହ ଝାକଡଙ୍କୁ ବିରୋଧ କରିଥିଲେ । ଫଳରେ କଂଗ୍ରେସ ହାଇକମାଣ୍ଡ ହିନ୍ଦୁ ଓ ଶିଖ୍‌ ଚେହେରାକୁ ନେଇ ଆଡୁଆରେ ପଡ଼ିଯାଇଥିଲେ । ଯେଉଁଥିପାଇଁ ରବିବାର ସନ୍ଧ୍ୟା ପର୍ୟ୍ୟନ୍ତ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ସହମତି ବନି ପାରି ନଥିଲା । ସେପଟେ କିନ୍ତୁ ରାନ୍ଧୱାଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ତାଙ୍କ ଘରେ ନେତାଙ୍କ ଭିଡ଼ ଲାଗିଯାଇଥିଲା । ଏଭଳି ସମୟରେ ହାଇକମାଣ୍ଡଙ୍କ ପକ୍ଷରୁ ଜଣେ ନେତାଙ୍କୁ ରାନ୍ଧୱାଙ୍କ ବାସଭବନକୁ ପଠାଯାଇଥିଲା । ସେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରୁ ଓହରିଯିବାକୁ ବୁଝାଇଥିଲେ । ରାନ୍ଧୱା ଓହରିଯିବା ପରେ ଚରଣଜିତଙ୍କ ନାମରେ ମୋହର ଲାଗିଥିଲା ।
ଚରଣଜିତଙ୍କ ସହ ସୁଖଜିନ୍ଦର ରନ୍ଧୱା ଓ ଓମ୍‌ପ୍ରକାଶ ସୋନି ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପଞ୍ଜାବ ରାଜ୍ୟପାଳ ସମସ୍ତଙ୍କୁ ଶପଥପାଠ କରାଇଥିଲେ। ଶପଥଗ୍ରହଣ ପୂର୍ବରୁ ଚରଣଜୀତ ଗୁରୁଦ୍ବାରରେ ପୂଜାର୍ଚ୍ଚନା କରିଥିଲେ।

ରବିବାର ଚଣ୍ଡିଗଡ଼ରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ତାଙ୍କୁ ସର୍ବସମ୍ମତକ୍ରମେ ଚରଣଜିତ ସିଂହ ଚନ୍ନୀଙ୍କୁ ନେତା ନିର୍ବାଚିତ କରାଯାଇଛି । ରାଜ୍ୟ ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ହରିଶ ରାୱତ ଏହି ସୂଚନା ଦେଇଛନ୍ତି । ସେପଟେ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଚରଣଜିତ ରାଜଭବନ ଯାଇ ରାଜ୍ୟପାଳ ବନୱରିଲାଲ ପୁରୋହିତଙ୍କୁ ସାକ୍ଷାତ କରି ସରକାର ଗଠନ ଲାଗି ଦାବି ଜଣାଇଛନ୍ତି ।

ସେହିଭଳି ରାଜ୍ୟ ପାଇଁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବ । ସୁଖଜିନ୍ଦର ସିଂହ ରାନ୍ଧୱା ଓ ବ୍ରହ୍ମ ମହିନ୍ଦ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ହେଉଛି । ତେବେ ହରିଶ ରାୱତ କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ କିଏ ହେବେ ତାହା ପରେ ସ୍ଥିର କରାଯିବ । କୁହାଯାଉଛି କି ରାଜ୍ୟସଭା ସାଂସଦ ଅମ୍ବିକା ସୋନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିବାକୁ କଂଗ୍ରେସ ହାଇକମାଣ୍ଡ ଆଗ୍ରହ ପ୍ରକାଶ କରିଥିଲେ । ତାଙ୍କ ନାମକୁ ନେଇ ଚର୍ଚ୍ଚା ମଧ୍ୟ ଜାରି ରହିଥିଲା । କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ମନା କରିଦେଇଥିଲେ । ଫଳରେ ଶିଖ୍‌ ନେତା ଭାବେ ରାନ୍ଧୱାଙ୍କ ନାମ ଉପରେ ସହମତି ବନିଥିଲା । କିନ୍ତୁ ସିଦ୍ଧୁ ତାଙ୍କୁ ବିରୋଧ କରିଥିଲେ । ଏପରିକି ସେ କ୍ଷୁବ୍ଧ ହୋଇ ବୈଠକ ବସିଥିବା ହୋଟେଲରୁ ବାହାରକୁ ପଳାଇଥିଲେ । ଯାହାଫଳରେ ହାଇକମାଣ୍ଡ ଶେଷ ମୁହୂର୍ତ୍ତରେ ରାନ୍ଧୱାଙ୍କ ବଦଳରେ ଚରଣଜିତଙ୍କ ନାମରେ ମୋହର ଲଗାଇଥିଲେ ।

 

 

Leave a Reply

Your email address will not be published.