ମୋର ଛବି ଖରାପ କରିବା ପାଇଁ ଏଭଳି କାମ କରାଯାଉଛି: ମମତା

କୋଲକାତା : ବାତ୍ୟା ୟାସ୍‌ କ୍ଷୟକ୍ଷତି ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷା ବୈଠକ ରହିଥିଲା । ଏହାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପେକ୍ଷା କରିଥିବା ଘଟଣା ଶୁଣିବାକୁ ମିଳିଥିଲା । ଯାହାକୁ ନେଇ ରାଜନୀତି ଏବେ ସଗଗରମ ରହିଛି। ଅନ୍ୟପକ୍ଷରେ ମମତା କହିଛନ୍ତି ପଶ୍ଚିମ ବଙ୍ଗର ବିକାଶ ଲାଗି ଆବଶ୍ୟକ ପଡ଼ିଲେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଦ ଧରିବାକୁ ପ୍ରସ୍ତୁତ ଅଛନ୍ତି।

ଗତକାଲିର ସମୀକ୍ଷା ବୈଠକ ସଂପର୍କରେ ସଫେଇ ଦେଇ ମମତା କହିଛନ୍ତିଯେ, ଏସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଏକତରଫା ଖବର ପ୍ରକାଶ କରାଯାଉଥିବାରୁ ସତ କଥା ପ୍ରକାଶ କରିବା ଲାଗି ମୁଁ ଏହି ସାମ୍ବାଦିକ ସମ୍ମିଳନୀ ଡାକିବାକୁ ବାଧ୍ୟ ହୋଇଛି। ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତିଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ତାଙ୍କୁ ଶେଷ ମୁହୂର୍ତରେ ସୂଚନା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ତାଙ୍କୁ ୨୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଥିଲି, ଏବଂ ତାଙ୍କର ଅନୁମତି ନେଇ ଯାଇଥିଲି । ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋତେ ଜାଣିଶୁଣି ଅପମାନିତ କରାଯାଇଛି। ମୋର ଛବି ଖରାପ କରିବା ପାଇଁ ଏଭଳି ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ମମତା । ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ବିରୋଧୀ ଦଳ ନେତା ଏବଂ ରାଜ୍ୟପାଳଙ୍କୁ କାହିଁକି ଡକାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡ଼ିଶା ଏବଂ ଗୁଜରାଟରେ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ବିରୋଧୀ ଦଳ ନେତାଙ୍କୁ ଡକା ଯାଇନଥିବା ବେଳେ ଏଠି କାହିଁକି ଡକାଗଲା? ଏହା ତାଙ୍କ ପ୍ରତି ଘୋର ଅପମାନ ବୋଲି ମମତା କହିଛନ୍ତି। ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ବିନା ଦ୍ବିଧାରେ ମୁଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବା ପାଇଁ ପ୍ରସ୍ତୁତ, ହେଲେ ଅପମାନକୁ ଆଦୌ ସହ୍ୟ କରିପାରିବି ନାହିଁ ବୋଲି ମମତା କହିଛନ୍ତି।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ରାଜନୈତିକ ପ୍ରତିଶୋଧରେ ପୂର୍ଣ୍ଣଚ୍ଛେଦ ପକାନ୍ତୁ। ମୁଖ୍ୟ ସଚିବ ଆଳାପନ ବାନାର୍ଜୀଙ୍କୁ ଦିଲ୍ଲୀ ଫେରାଇ ନେବା ପାଇଁ ଦିଆଯାଇଥିବା ଆଦେଶକୁ ପ୍ରତ୍ୟାହାର କରନ୍ତୁ ଏବଂ ତାଙ୍କୁ ସଂକ୍ରମଣ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ କରିବା ପାଇଁ ଅନୁମତି ଦିଅନ୍ତୁ। ପରାଜୟକୁ ଗ୍ରହଣ କରି ଆମକୁ ସହଯୋଗ କରନ୍ତୁ ବୋଲି ମମତା ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published.