ବିଶ୍ୱ କରୁଛି ପ୍ରଶଂସା, ଏକେ-୪୭ ଧରି ଯୁଦ୍ଧ କରିବାକୁ ଆଗେଇ ଆସିଲେ ୮୦ ବର୍ଷୀୟ ବୃଦ୍ଧା

ନୂଆଦିଲ୍ଲୀ: ମୁଁ ବି ଲଢ଼ିବି । ଛାଡ଼ିବିନି ଶତ୍ରୁଙ୍କୁ । ଏପରି କହି ଯୁଦ୍ଧ କରିବା ପାଇଁ ଆଗକୁ ଆସିଛନ୍ତି ୮୦ ବର୍ଷୀୟ ବୃଦ୍ଧା । ଆପଣ ଭାବୁଥିବେ ଏକୌଣସି ଚଳଚ୍ଚିତ୍ରର କାହାଣୀ । ଯାହା ଆମେ ଆପଣଙ୍କୁ ଶୁଣାଉଛୁ । ଆଜ୍ଞା ଆଦୌ ନୁହେଁ । ଯାହା ଘଟିଛି ସେହି ବିଷୟରେ କୁହୁଛୁ । କାରଣ କୁହାଯାଏ ଯେତେବେଳେ ଦେଶର କଥା ପଡ଼େ । ନିଜ ମାଟି ମା’ର କଥା ପଡ଼େ । ଏଠି ନିର୍ଜୀବ ପଥର ବି ଲଢେ଼ଇ କରିବାକୁ ଆଗକୁ ଆସେ । କାରଣ ମାଟି ମା’ ପାଖରେ ସବୁ ତୁଚ୍ଛ । ସେପରି କିଛି ଘଟିଛି ୟୁକ୍ରେନରେ । ବାସ୍ତବରେ ୟୁକ୍ରେନରେ ସମ୍ଭାବ୍ୟ ଆକ୍ରମଣଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛନ୍ତି ଦେଶବାସୀ । ଦିନରାତି ଏକ କରି ଯୁକ୍ରେନର ଆବାଳବୃଦ୍ଧବନିତା ନିଜକୁ ପ୍ରସ୍ତୁତ କରୁଛନ୍ତି । ତେବେ ଏଥିରେ ସବୁଠୁ ଆଗରେ ରହିଛନ୍ତି ଜଣେ ୮୦ ବର୍ଷୀୟ ବୃଦ୍ଧା ।

ୟୁକ୍ରେନର ମାରିଅପୋଲର ଭାଲେଣ୍ଟିନା କନଷ୍ଟାଣ୍ଟିନୋଭସ୍କା ହାତରେ ରାଇଫଲ ଧରି ନେଇଛନ୍ତି ପ୍ରଶିକ୍ଷଣ । ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ତାଙ୍କର ଫଟୋ । ହାତରେ ଏକେ-୪୭ ଧରି ଶତ୍ରୁ ପକ୍ଷକୁ କଡ୍ଡା ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଆଜୋଭ ବାଟାଲିୟନ ଦ୍ୱାରା ଆୟୋଜିତ ଗୃହଯୁଦ୍ଧ ତାଲିମରେ ଭାଗ ନେଇ ନେଇଛନ୍ତି ଭାଲେଣ୍ଟିନା । ତାଲିମ ସମୟରେସେ କହିଛନ୍ତି ଦରକାର ପଡିଲେ ମୁଁ ଗୁଳି ଚଳାଇବାକୁ ବି ପ୍ରସ୍ତୁତ ଅଛି । ମୁଁ ଡ଼ରିବିନି ଶତ୍ରୁଙ୍କୁ । ମୋ ଘର, ମୋ ସହର, ମୋ ପିଲାମାନଙ୍କୁ ସୁରକ୍ଷା ଦେବି ମୁଁ ସର୍ବଦା ପ୍ରସ୍ତୁତ ରହିଛି ବୋଲି କହିଛନ୍ତି । ସେପଟେ ଭାଲେଣ୍ଟିନାଙ୍କ ଏପରି ସାହାସକୁ ଦେଖିବା ପରେ ସାରା ବିଶ୍ୱ ପ୍ରଶଂସା କରୁଛି ।

Leave a Reply

Your email address will not be published.