ହତ୍ୟା ନା ଆତ୍ମହତ୍ୟା, ରହସ୍ୟ ଘେରରେ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର‌ ଲୋକେ

ନାଗରାଜ ନ୍ୟୁଜ: ହତ୍ୟା ନା ଆତ୍ମହତ୍ୟା । କେମିତି ହେଲା ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତଙ୍କ ମୃତ୍ୟୁ । ମୃତ ଦେହ ମିଳିବାର ୨୪ ଘଣ୍ଟା ପରେ ମଧ୍ୟ ଏବେ ବି ରହସ୍ୟ ଘେରରେ ରହିଯାଇଛି ତୁଷାରକାନ୍ତ ମୃତ୍ୟୁ ଘଟଣା । ସେପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହ ଆଜି ବିଧିବଦ୍ଧ ଭାବେ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଇଛନ୍ତି । ଡିସିପି ପ୍ରତୀକ ସିଂ କହିଛନ୍ତି ଘଟଣାର ତଦନ୍ତ କରାଯାଉଛି ।

ମହଙ୍ଗା ପଡ଼ିଲା କି ଟିନ ଏଜ୍ ଲଭ୍ ? ତ୍ରିକୋଣୀୟ ପ୍ରେମକୁ ନେଇ ହୋଇଛି କି ତୁଷାରଙ୍କ ମୃତ୍ୟୁ ? ସମୟ ଯେତିକି ବଢୁଛି ତୁଷାରଙ୍କ ମୃତ୍ୟୁ ଘଟଣା ସେତିକି ରହସ୍ୟମୟ ହେବାରେ ଲାଗିଛି । ତୁଷାରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ସିଧାସଳଖ ଅଭିଯୋଗ କରିଛନ୍ତି ପରିବାର ଲୋକେ। ତୁଷାରଙ୍କ ବାନ୍ଧବୀ, ଏକ୍ସ ବୟଫ୍ରେଣ୍ଡ୍, ତିନି ସଂପର୍କୀୟ ଭାଇ ଓ ବଡ଼ ଭଉଣୀ ମିଶି ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ତୁଷାରଙ୍କ ପରିବାର ଲୋକେ। ଗତ ୩ ତାରିଖ ଦିନ ତୁଷାରଙ୍କୁ ବାରମ୍ବାର ଡି ନାମକ ବ୍ୟକ୍ତି କଲ୍ କରି ଡ଼ାକୁଥିବାରୁ ସେ କିଏ ବୋଲି ପ୍ରଶ୍ନ କରିବା ସହିତ ତଦନ୍ତ ପରିସରକୁ ନେବାକୁ ଦାବି କରିଛନ୍ତି ତୁଷାର ଙ୍କ ଭଉଣୀ । ଏହି ଘଟଣାକୁ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ହତ୍ୟା ଏତଲା ଦେଇଛନ୍ତି ତୁଷାରଙ୍କ ପରିବାର ଲୋକେ।

ଅନ୍ୟପଟେ ତୁଷାରଙ୍କ ମୃତ୍ୟୁକୁ ନେଇ ବିଶ୍ୱାସ କରି ପାରୁନାହାଁନ୍ତି ସାଙ୍ଗ ସାଥୀ । ଦୀର୍ଘ ଦିନ ହେବ ତୁଷାର ମାନସିକ ଚାପରେ ରହୁଥିଲେ। ଏପରିକି ଆତ୍ମହତ୍ୟା କରିବେ ବୋଲି ସେ ପୂର୍ବରୁ କହୁଥିଲେ । ମାତ୍ର ସାଙ୍ଗସାଥୀ ବୁଝାସୁଝା କରିବା ପରେ ସବୁ ଠିକ୍ ଠାକ୍ ହୋଇଥିଲା। ତେବେ ତୁଷାରଙ୍କ ମୃତ୍ୟୁ ପଛରେ ଗତ ୩ ତାରିଖ ଦିନ ଇଣ୍ଡୋର୍ ଷ୍ଟାଡିୟମ୍ ପାଖେ ଘଟିଥିବା ଘଟଣାକୁ ସନ୍ଦେହ କରୁଛନ୍ତି ସାଙ୍ଗସାଥୀ। ସେପଟେ ପୋଲିସ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ନେଇ କହିଛନ୍ତି ଡିସିପି ପ୍ରତୀକ ସିଂ।

ଏହି ଘଟଣାକୁ ନେଇ ସଂପୃକ୍ତ ଥିବା ଚର୍ଚ୍ଚିତ ବାନ୍ଧବୀ ଓ ତାଙ୍କ ପରିବାର ଲୋକ ପ୍ରତିକ୍ରିୟା ଦେବାପାଇଁ ରୋକ୍ ଠୋକ୍ ମନା କରି ଦେଇଛନ୍ତି। ତେବେ ସେ ଦିନ ଇଣ୍ଡୋର ଷ୍ଟାଡିୟମ ପାଖେ ଘଟିଥିବା ଘଟଣା ହିଁ ଉନ୍ମୋଚନ କରିବ ତୁଷାରଙ୍କ ମୃତ୍ୟୁର କାରଣ ।

Leave a Reply

Your email address will not be published.