ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ କଲ୍ୟାଣ ଉପସମିତି ବୈଠକ ଅନୁଷ୍ଠିତ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିର ପରିଚାଳନା କମିଟିର ସେବକ କଲ୍ୟାଣ ଉପସମିତି ବୈଠକ ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀମନ୍ଦିର ସେବାୟତଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ ଶ୍ରୀମନ୍ଦିରରେ ନିରନ୍ତର ୫ ବର୍ଷ ସେବା କରିଥିବା ସେବକମାନେ ୬୦ ବର୍ଷରୁ ବାର୍ଦ୍ଧକ୍ୟ ଭତ୍ତା ପାଇବେ । ସେଥିପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ କରାଯାଇଛି । ସେହିପରି ସେବାୟତଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ବିଧବା ଭତ୍ତା ପ୍ରଦାନ ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ସେବାୟତଙ୍କ ସ୍ୱାସ୍ଥ୍ୟ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସାମିଲ କରାଯିବାନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ସେବାୟତଙ୍କୁ ମାଗଣା ଔଷଧ ଯୋଗାଇ ଦେବା ପାଇଁ ଦୋଳବେଦୀ କୋଣରେ ଏକ ମେଡିସିନ କାଉଣ୍ଟର ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।

ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନର ଗ୍ରୁପ ସି ଓ ଡି ପାଇଁ ବାହାରୁଥିବା ଚାକିରିରେ ଶିକ୍ଷିତ ସେବାୟତଙ୍କ ପାଇଁ ଚାକିରିରେ ସଂରକ୍ଷଣ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ସେହିପରି ଦିର୍ଘ ଦିନ ହେବ ଶ୍ରୀମନ୍ଦିରରେ ହେଉଥିବା ଅନୁଭବ ଯାତ୍ରା ବନ୍ଦ ଥିବା ବେଳେ ଏହାକୁ ପୁଣି କାର୍ଯ୍ୟକ୍ଷମ କରାଯିବ । ଗରିବ ସେବାୟ ଙ୍କ ପାଇଁ ବାସଗୃହ ଯୋଜନା, ପାଠ ପଢା ପାଇଁ ମେଧା ବୃତ୍ତି ବ୍ୟବସ୍ଥା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହି ସବୁ ନିଷ୍ପତ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ଓ ସରକାରଙ୍କ ସ୍ୱୀକୃତି ପରେ ସେବାୟତଙ୍କ ପାଇଁ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ ହେବ ବୋଲି ପୁରୀ ଜିଲାପାଳ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି । ସେପଟେ କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଜାନୁଆରୀ ୩୧ ଯାଏଁ ବନ୍ଦ ଥିବା ବେଳେ ପୁଣି କେବେ ଖୋଲିବ ସେନେଇ କହିଛନ୍ତି ପୁରୀ ଜିଲ୍ଲାପାଳ । ବର୍ତ୍ତମାନ କୋଭିଡ ପରିସ୍ଥିତିରେ ସୁଦ୍ଧାର ଆସିନାହିଁ । ତେବେ କୋଭିଡ ସ୍ଥିତି ଦେଖି ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published.