ଶତବାର୍ଷିକୀ ପାଳନ ପୂଜ୍ୟ ପୂଜାର ଏକ ଅନନ୍ୟ ନିଦର୍ଶନ: ସୁରେଶ ଚନ୍ଦ୍ର ମହାପାତ୍ର

ପୁରୀ,(ନାଗରାଜ ନ୍ୟୁଜ): ଶିକ୍ଷାନୁଷ୍ଠାନ ଟିଏ ମଣିଷ ଗଢା କାରଖାନା। ବିଶ୍ୱମ୍ଭର ବିଦ୍ୟାପୀଠ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ପଦ୍ମନାଭ ଦାଶ ଜଣେ ଆଦର୍ଶ ଓ ଅନୁଶାସନପୂର୍ଣ୍ଣ ଶିକ୍ଷକ ଭାବେ ଚିର ସ୍ମରଣୀୟ ହୋଇ ରହିଥିବେ ବୋଲି ମତବ୍ୟକ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର। ଆଜି ସଂଧ୍ୟାରେ ସଂସ୍କୃତି ଭବନ ପରିସରରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ପଦ୍ମନାଭ ଦାଶଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କ ଶତବାର୍ଷିକୀ ପାଳନ ପୂଜ୍ୟ ପୂଜା ର ଏକ ଅପୂର୍ବ ନିଦର୍ଶନ, ଯାହା ପର ପିଢ଼ି କୁ ଅନୁପ୍ରାଣିତ କରିଥାଏ ବୋଲି କହିଥିଲେ।ସ୍ୱର୍ଗତ ଦାଶ ଙ୍କ ଶିକ୍ଷା, ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଅବଦାନ, ନିଷ୍ଠା, ଭଲପାଇବା ଓ କର୍ତ୍ତବ୍ୟ ପରାୟଣତା ତାଙ୍କୁ ସମସ୍ତ ଙ୍କର ପ୍ରିୟ କରିଥିଲା।ଆଜିର ସମୟରେ ଶିକ୍ଷକ,ଅଭିଭାବକ, ଛାତ୍ର ଛାତ୍ରୀ ଓ ପୁରାତନ ଛାତ୍ର ଛାତ୍ରୀ ଙ୍କ ସହଭାଗୀତାରେ ପୁଣି ଶିକ୍ଷାନୁଷ୍ଠାନ ର ଗୌରବ ଫେରେଇ ଆଣିବାକୁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଥିଲେ।ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସ୍ୱର୍ଗତ ଦାଶ ଜଣେ ଆଦର୍ଶ ଓ ଶିକ୍ଷା ପ୍ରତି ସମର୍ପିତ ଶିକ୍ଷକ ଥିଲେ ବୋଲି କହିଥିଲେ।ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡଃ ସୂର୍ଯ୍ୟ ନାରାୟଣ ମିଶ୍ର, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଡଃ ପ୍ରଫୁଲ୍ଲ କୁମାର ମହାନ୍ତି, ଇନକମ ଟ୍ୟାକ୍ସ ର ପୂର୍ବ ତନ କମିଶନର ଶ୍ରୀ ଶରତ କୁମାର ଦାସ,ନାଲକୋ ର ସିଏମଡି ଶ୍ରୀ ଶ୍ରୀଧର ପାତ୍ର ପ୍ରମୁଖ ସ୍ୱର୍ଗତ ଦାଶଙ୍କ ଶିକ୍ଷା ଦାନ ପଦ୍ଧତି, ପିଲା ମାନଙ୍କ ପ୍ରତି ବ୍ୟବହାର, ଅନୁଶାସନ, ଅନୁଶୀଳନ ଓ ସଂସ୍କାର ସଂପର୍କରେ ଆଲୋକ ପାତ କରିଥିଲେ।

ସଂସଦର ସାଧାରଣ ସମ୍ପାଦକ ଶ୍ରୀ ଦେବୀ ପ୍ରସନ୍ନ ନନ୍ଦ ଏଥିରେ ଅଧ୍ୟକ୍ଷତା କରିଥିଲେ।ଏହି ଅବସରରେ ଏକ ସ୍ମରଣିକା କୁ ଉନ୍ମୋଚନ କରାଯାଇଥିଲା।ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ମାନେ ପୂର୍ବତନ ଶିକ୍ଷକ, ବର୍ତ୍ତମାନ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ମିଶ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ସଭାପତି ଶ୍ରୀ ରବୀନ୍ଦ୍ର ସେନାପତି ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସଂସଦର ମୁଖ୍ୟ ଉପଦେଷ୍ଟା ଶ୍ରୀ କାଳୀ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published.