ଦୀର୍ଘ ଦୁଇବର୍ଷ ବ୍ୟବଧାନ ପରେ ସାଧାରଣରେ ଖ୍ରୀଷ୍ଟମାସ ଉତ୍ସବ ପାଇଁ ପ୍ରସ୍ତୁତି ଜୋର୍ ଧରିଛି

କଟକ,(ନାଗରାଜ ନ୍ୟୁଜ): ଆଉ ମାତ୍ର କିଛି ଦିନ ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଦିବସ ‌ ଖ୍ରୀଷ୍ଟମାସ ଏବଂ ବଡଦିନ । ଏବେଠାରୁ ହଜାର ବର୍ଷର ପୁରାତନ ଐତିହାସିକ କଟକ ସହରରେ ଖ୍ରୀଷ୍ଟମାସ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଏଥି ସହିତ କେତେକ ସ୍ଥାନରେ ଖ୍ରୀଷ୍ଟମାସ ଉତ୍ସବ ପାଳନ ଆରମ୍ଭ ହୋଇଲାଣି । ଦୁଇବର୍ଷ ବ୍ୟବଧାନ ପରେ ଖ୍ରୀଷ୍ଟମାସ ଉତ୍ସବ ପାଳନ କରାଯାଉଥିବାରୁ ଖ୍ରୀଷ୍ଟମାସ ଉତ୍ସବ ପାଇଁ ଖ୍ରୀଷ୍ଟ ଧର୍ମୀ ମାନଙ୍କ ମଧ୍ୟରେ ବେଶ୍ କିଛିଟା ଉତ୍ସାହ ପ୍ରକାଶ ପାଇଛି । ଦୀର୍ଘ ଦୁଇବର୍ଷ ହେବ କରୋନା କଟକଣା ଯୋଗୁଁ ସର୍ବସାଧାରଣରେ ଉତ୍ସବ ପାଇଁ କଟକଣା ଜାରି କରାଯାଇଥିଲା । ମାତ୍ର ଚଳିତ ବର୍ଷ କୈାଣସି କଟକଣା ନଥିବାରୁ ସହରବାସୀ ମାନେ ବହୁ ଆଡ଼ମ୍ବର ଏବଂ ଜାକଜମକରେ ଖ୍ରୀଷ୍ଟମାସ ଉତ୍ସବ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି । କେତେକ ଐତିହାସିକଙ୍କ ମତରେ ଇଂରେଜ ମାନେ ୧୮୨୨ ମସିହାରେ କଟକ ଆସିବା ପରେ ସର୍ବ ପ୍ରଥମେ ଓଡ଼ିଶାର ସର୍ବ ପୁରାତନ ଚର୍ଚ୍ଚ କ୍ୟାଣ୍ଟନମେଣ୍ଟ ରୋଡ଼ ସ୍ଥିତ ୟୁରୋପିୟନ ଚର୍ଚ୍ଚ ଠାରେ ସର୍ବ ପ୍ରଥମେ ଖ୍ରୀଷ୍ଟମାସ ଉତ୍ସବ ପାଳନ କରାଯାଇଥିଲା ।

ପରବର୍ତ୍ତୀ କାଳରେ ଚର୍ଚ୍ଚ ଓ ଗୀର୍ଜା ସଂଖ୍ୟା ବୃଦ୍ଧି ପାଇ ଖ୍ରୀଷ୍ଟଧର୍ମୀମାନେ ବିଭିନ୍ନ ଚର୍ଚ୍ଚ ଓ ଗୀର୍ଜାଘରେ ଖ୍ରୀଷ୍ଟମାସ ଉତ୍ସବ ପାଳନ କରୁଛନ୍ତି । ଇତିମଧ୍ୟରେ ସହରର ବିଭିନ୍ନ ଚର୍ଚ୍ଚ ଓ ଗୀର୍ଜାଘର ଗୁଡିକ ସଜେଇ ଆରମ୍ଭ ହୋଇ ଯାଇଛି ଏବଂ ପର୍ବ ପାଇଁ ପ୍ରସ୍ତୁତି ଜୋର୍ ଧରିଛି । ଖ୍ରୀଷ୍ଟମାସ ପର୍ବ ପାଇଁ ସହରର କେତେକ ସ୍ଥାନରେ ଅସ୍ଥାୟୀ ଦୋକାନ ବସିଗଲାଣି । ଏଠାରେ ଖ୍ରୀଷ୍ଟମାସ ଉତ୍ସବ ପାଇଁ ଉପକରଣ ଉପଲବ୍ଧ ହେଉଛି । ସାନ୍ତା କ୍ଲଜ୍ ଠାରୁ ଆରମ୍ଭ କରି ଖ୍ରୀଷ୍ଟମାସ ଟ୍ରୀ ଏବଂ ଘରେ ସଜାଇବା ପାଇଁ ଲାଇଟ୍ ଓ ଉପକରଣ ଦୋକାନ ଗୁଡିକରେ ଉପଲବ୍ଧ ହେଉଛି । ଗୋଟିଏ ଗୋଟିଏ ସାନ୍ତାକ୍ଲଜ୍ ଓ ଖ୍ରୀଷ୍ଟମାସ ଟ୍ରୀ ୫୦ ଟଙ୍କା ଠାରୁ ଆରମ୍ଭ କରି ୧୦୦୦ ଟଙ୍କା ମୂଲ୍ୟରେ ବିକ୍ରୀ କରାଯାଉଛି । ଖ୍ରୀଷ୍ଟମାସ ଉତ୍ସବ ଯେତେ ପାଖେଇ ଆସୁଛି ଖ୍ରୀଷ୍ଟ ଧର୍ମୀ ମାନଙ୍କ ମଧ୍ୟରେ ସେତିକି ଉତ୍ସାହ ପ୍ରକାଶ ପାଇଛି ।

Leave a Reply

Your email address will not be published.