ପୁଣି ଥରେ ସାମ୍ବାଦିକଙ୍କ ଉପରେ ପୋଲିସର ଆକ୍ରମଣ

ପାରାଦ୍ବୀପ: ଓଡିଶାରେ ସାମ୍ବାଦିକମାନଙ୍କ ଉପରେ ପୋଲିସ ମାନଙ୍କର ଆକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି । କିଛିଦିନ ତଳେ କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ମାଡ ମାରିବା ଘଟଣା ଏ ପର୍ଯ୍ୟନ୍ତ ସାରା ଓଡିଶାରେ ଚହଳ ପକାଇଥିବା ବେଳେ ଗତକାଲି ପାରାଦ୍ବୀପ ରିପୋର୍ଟର ବିଶ୍ବଜିତ ବିଶ୍ବାଳ ଖବର ସଂଗ୍ରହ କରୁଥିବା ବେଳେ ପାରାଦ୍ବୀପ ମେରାଇନ୍ ଥାନାର ଭାରପ୍ରାପ୍ତ ଆରକ୍ଷୀ ନୀରିକ୍ଷକ ଅଜୟ ମୁଦୁଲି ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ସୂଚନା ଅନୁଯାୟୀ ପୋଲିସ ବାବୁ ଜଣଙ୍କ ଖାକି ପୋଷାକର କେବଳ ସାର୍ଟ ଓ ଲୁଂଗି ପିନ୍ଧି ଖାଲି ପାଦରେ ବୁଲୁଥିବାର ଦେଖି ତାଙ୍କୁ ସାମ୍ବାଦିକ ଜଣଙ୍କ “ସରକାରୀ କାର୍ଯ୍ୟ କରୁଥିବା ସମୟରେ” କାହିଁକି ମଦ୍ଯପାନ କରିଛନ୍ତି ବୋଲି ପଚାରିଥିଲେ । ଏହି ସମୟରେ ସଂପୃକ୍ତ ଥାନା ଅଧିକାରୀ ତାଙ୍କୁ ମାଡ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ ।

କେବଳ ଏତିକି ନୁହେଁ ବିଶ୍ବଜିତଙ୍କ ଠାରୁ ମାଇକ୍ରୋ ଫୋନ ଓ କ୍ଯାମେରା ଛଡାଇବା ସହ ଗିରଫ କରି କୋର୍ଟ ଚାଲାଣ କରିବାକୁ ଧମକ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ଯମନ୍ତ୍ରୀ, ପୋଲିସ୍ ମହାନିର୍ଦ୍ଦେଶକ ଓ ଆରକ୍ଷୀ ଅଧୀକ୍ଷକ‌ ତୁରନ୍ତ ଆରକ୍ଷୀ ନୀରିକ୍ଷକ ଅଜୟ ମୁଦୁଲିଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିବାକୁ ସମସ୍ତ ସାମ୍ବାଦିକ ମାନେ ଦାବୀ କରିଛନ୍ତି ।

Leave a Reply

Your email address will not be published.