କଟକ ବାଲିଯାତ୍ରା ପଡିଆରେ ଫେବୃଆରୀ ୧୯ରୁ ଆରମ୍ବ ବାରବାଟୀ ଶିଶିର ମେଳା

କଟକ,(ନାଗରାଜ ନ୍ୟୁଜ): ଆଗାମୀ ଫେବୃଆରୀ ୧୯ରୁ ୨୮ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ଉପର ବାଲିଯାତ୍ରା ପଡିଆରେ ବାରବାଟୀ ଶିଶିର ମେଳା ଆୟୋଜିତ ହେବ । ବାରବାଟୀ ଦୁର୍ଗ ସମ୍ମୁଖରେ ଆୟୋଜିତ ହେବାକୁ ଥିବା ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀମାନେ ଯୋଗଦେବେ । ହକି ବିଶ୍ଵକପ ଆୟୋଜନ କାରଣରୁ ପ୍ରଶାସନ ନିର୍ଦେଶରେ ଏହାର ସମୟ ପରିବର୍ତନ କରାଯାଇ ଫେବୃଆରୀରେ କରାଯିବାକୁ ନିଷ୍ପତି ନିଆଯାଇଛି । ଏଥିରେ ଏଫଏମସିଜି, ଘରକରଣା ସାମଗ୍ରୀ, ହୋମ ଡେକୋର, ଇଲେକଟ୍ରୋନିକ୍ସ,ପୋଷାକ, ଜୋତା ଚପଲ, ବ୍ୟାଗ, ବେତ ଓ ବାଉଁଶ ନିର୍ମିତ ସାମଗ୍ରୀ, କାଠଘଣା ଖାଟି ସୋରିଷ ତେଲ,ନାଗପୁରର କଳା କିସମିସ, ଫାଶନ ସାମଗ୍ରୀ, ଶାଢୀ, ଗାଲିଚା ସହିତ ଅନ୍ୟ ଅନେକ ସାମଗ୍ରୀର ଷ୍ଟଲ ସ୍ଥାନପାଇବ । ଏହି ମେଳାର ମୁଖ୍ୟ ଆକର୍ଷଣ ହେବ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଅଣୁ,ଲଘୁ ଓ ମଧ୍ୟମ ଉଦ୍ୟୋଗଗୁଡିକ ଦ୍ଵାରା ପ୍ରସ୍ତୁତ ଉତ୍ପାଦ । ଏହା ରାଜ୍ୟର ଏମଏସଏମଇ, କୁଟୀର ଶିଳ୍ପ, ହସ୍ତଶିଳ୍ପ ଆଦିର ପ୍ରଦର୍ଶନ ସହିତ ସେସବୁର ବିକ୍ରିବଟା ନିମନ୍ତେ ଏକ ଉପଯୁକ୍ତ ମଂଚ ଯୋଗାଇଦେବ । ଏଥ୍‌ସହିତ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଷ୍ଟଲ ଶିଶିର ମେଳାରେ ଖୋଲିବ । ଏଥିରେ ଏକ ଅଟୋମୋବାଇଲ ସେକ୍ସନ ମଧ୍ୟ ସ୍ଥାନପାଇବ । ତାହାସହିତ ସ୍ଵତନ୍ତ୍ର ଭାବରେ ଫୁଡ ପ୍ଲାଜା, ଦୋଳି, ମୀନାବଜାର ଆଦି ରହିବ । ରାଜ୍ୟ ଓ ଜାତୀୟସ୍ତରରେ ଲୋକପ୍ରିୟ ଭାରତ ମସଲା ଏହି ମେଳାର ପୃଷ୍ଠପୋଷକତା କରୁଥିବାବେଳେ ବୁଷ୍ଟ ମାଇଁ ୱେଡିଂ, ଭାରତ ସରକାରଙ୍କ ଏମଏସଏମଇ ବିଭାଗ, ରାଜ୍ୟ ସରକାରଙ୍କ ଓରମାସ ଏବଂ ରାଜ୍ୟର ଅଗ୍ରଣୀ ଶିଳ୍ପ ସଂଘ ଓସମେ ମଧ୍ୟ ଏହାକୁ ସହଯୋଗ ଯୋଗାଇ ଦେଉଛନ୍ତି । ମେଳା ଅବସରରେ ପିଲାଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ମେଳା ପରିସର ମଂଚରେ ଦର୍ଶକଙ୍କ ପାଇଁ ମୁଖ୍ୟ ଆକର୍ଷଣ ରହିବ ସାଂସ୍କୃତିକ କାର୍ଯ୍ୟକ୍ରମ । ଭୁବନେଶ୍ଵରର ‘ମେଘମହ୍ଲାର’ ମ୍ୟୁଜିକ ଗ୍ରୁପ ପକ୍ଷରୁ ମେଳାମଂଚରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏଥୁସହିତ ମେଳା ପରିସର ମଂଚରେ ଫାଶନ ସୋ’ ଆୟୋଜନ କରାଯାଉଛି । ମେଳା ଅବସରରେ ଏକ ସ୍ମରଣିକା ‘ଶିଶିର ବିନ୍ଦୁ’ ଇଂରାଜୀ ଭାଷାରେ ପ୍ରକାଶ ପାଇବ । ଆଗ୍ରହୀ ବ୍ୟବସାୟୀ ଓ ଜନସାଧାରଣ ଏହାର ସୁଯୋଗ ନେବାକୁ ଶିଶିର ମେଳା ପରିଚାଳନା କମିଟି ପକ୍ଷରୁ ନିହାର ପଣ୍ଟାନାୟକ କହିଛନ୍ତି ।

Leave a Reply

Your email address will not be published.