ରାସ୍ତା ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ବାଲେଶ୍ଵର,(ନାଗରାଜ ନ୍ୟୁଜ ): ଗମନାଗମନର ସୁବିଧା ନିମନ୍ତେ ସରକାର ରାସ୍ତା ସମ୍ପ୍ରସାରଣ ଉପରେ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ରାଣୀତାଲ-ଧୋବାଗଡିଆ ରାସ୍ତା ରାଜ୍ୟ ରାଜପଥର ମାନ୍ୟତା ପାଇବା ପରେ ସମ୍ପ୍ରସାରଣର ଆବଶ୍ୟକତା ଦେଖାଦେଇଥିଲା । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ରାଣୀତାଲ-ଧୋବାଗଡିଆ ରାସ୍ତା ଡୁଙ୍ଗୁରା ବଜାରରେ ଥିବା ବେଆଇନ ଦୋକାନ ଘର ଗୁଡିକୁ ତହସିଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ମାତ୍ର ଜବର ଦଖଲରେ ଥିବା ଦୋକାନ ଘର ଭଙ୍ଗାରେ ପାତର ଅନ୍ତର ହେବାରୁ ଉତ୍ୟକ୍ତ ଜନତା ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ଖବରପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପଞ୍ଚିଥିଲେ, କିନ୍ତୁ ଉତ୍ୟକ୍ତ ଲୋକମାନେ ନିଆଁ ଲିଭାଇବାକୁ ଦେଇନଥିଲେ । ପରେ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଭାଙ୍ଗିବା ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା ଓ ପରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଏଥିରେ ଖଇରା ତହସିଲଦାର ମହେନ୍ଦ୍ର ପ୍ରସାଦ ବେହେରା, ନିଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର, ଆଇଆଇସି ଶ୍ରୀବଲ୍ଲଭ ସାହୁ, ପୂର୍ତ୍ତ ଓ ରାସ୍ତା ସହକାରୀ ଯନ୍ତ୍ରୀ ନରେଶ ଚନ୍ଦ୍ର ସିଂହ, ଡୁଙ୍ଗୁରା ଆରଆଇ ସଞ୍ଜୟ କୁମାର ପଣ୍ଡା, ବାଲାଖଣ୍ଡ ଆରଆଇ ବସନ୍ତ କୁମାର ପାତ୍ର ଓ ତହସିଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସରକାରୀ ଜାଗାରେ ବେଆଇନ ଭାବେ ଗଢି ଉଠିଥିବା ଦୋକାନ ଗୁଡିକୁ ଉଚ୍ଛେଦ କରାଯାଇଛି । ଏଠାରେ ପ୍ରକାଶ ଥାଉକି ଅଡା ଠାରୁ ଧୋବାଗଡିଆ ପର୍ୟ୍ୟନ୍ତ ରାଜ୍ୟରାଜପଥ ମାନ୍ୟତା ପାଇବା ପରେ ୨୧କୋଟି ଟଙ୍କା ସରକାର ରାସ୍ତା ପାଇଁ ଅନୁମୋଦନ କରିଛନ୍ତି । ଉଚ୍ଛେଦ ପରେ କାର୍ୟ୍ୟ ଆରମ୍ଭ ହେବ । ଏହି ଉଚ୍ଛେଦ ଯୋଗୁ ଅନେକ ପରିବାର ଜୀବିକା ହରାଇଛନ୍ତି । ସେମାନଙ୍କୁ ସରକାର ତୁରନ୍ତ ଥଇଥାନ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published.