ମାହାଙ୍ଗା ଡବଲ ମର୍ଡର ଘଟଣା, ବ୍ଲକ କଂଗ୍ରେସ ପକ୍ଷରୁ ଥାନା ଘେରାଉ

କଟକ, (ନାଗରାଜ ନୁ୍ୟଜ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନି ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ପୁନଃ ତଦନ୍ତ ହେଉ ବୋଲି କଂଗ୍ରେସ ଦାବି ଉଠାଇଛି । ଏହି ଘଟଣାକୁ ନେଇ ବ୍ଲକ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି । କଟକ ଜିଲ୍ଲା ମାହାଙ୍ଗା ଥାନା ନୁର୍ତ୍ତାଙ୍ଗ ପଞ୍ଚାୟତରେ ବହୁ ଚର୍ଚ୍ଚିତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ମର୍ଡର ଘଟଣାରେ ଅଭିଯୁକ୍ତ ମାନଙ୍କ ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାର ତଦନ୍ତ ସମୟରେ ପୋଲିସ କେଶ ଡାଏରିରେ ମନ୍ତ୍ରୀଙ୍କ ନାଁ ନରଖିବା ପ୍ରତିବାଦରେ ସାଲେପୁର ଜେଏମଏଫସି କୋର୍ଟରେ ମୃତ କୂଳମଣୀଙ୍କ ପୁଅ ରମକାନ୍ତ ବରାଳ ଏକ ପ୍ରୋଟେଷ୍ଟ ପିଟିସନ ଦେଇଥିଲେ । ଏହାର ଶୁଣାଣି କରି ଗତ ଦୁଇ ମାସ ପୂର୍ବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନା’ରେ ଚାରସିଟିରେ ରହିବ କି ନାହିଁ ସେଥିପାଇଁ ଜେଏମଏଫସି କୋର୍ଟ ପକ୍ଷରୁ ସ୍ଥାନୀୟ ଆଇଆଇସିଙ୍କୁ ପୁନଃ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ପୋଲିସ ପକ୍ଷରୁ ପୁନଃ ତଦନ୍ତ ବିଳମ୍ବ ହେଉଛି ଦର୍ଶାଇ ମାହାଙ୍ଗା କଂଗ୍ରେସ ପକ୍ଷରୁ ଦେବେନ୍ଦ୍ର ସାହୁଙ୍କ ନେତୃତ୍ୱରେ କଂଗ୍ରେସ ନେତା ଆଇନିଜୀବୀ ଧରଣୀଧର ନାୟକ ଓ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ପ୍ରମୁଖ ପଦଯାତ୍ରାରେ ଆସି ମାହାଙ୍ଗା ଥାନା ସମ୍ମୁଖରେ ଆଜି ଏକ ପ୍ରତିବାଦ ସଭା କରିଥିଲେ । ବିକ୍ଷୋଭକାରୀମାନେ ମାହାଙ୍ଗା ଆଇଆଇସିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଆଗାମୀ ୧ ମାସ ମଧ୍ୟରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ନକଲେ କଂଗ୍ରେସ ପକ୍ଷରୁ ଆଇନି ଅମାନ୍ୟ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

Leave a Reply

Your email address will not be published.