ଖପ୍ରାଖୋଲ ସରପଞ୍ଚ ଭାବେ ବେଟିଖାଇ ସେନ୍ଦ୍ରିଆ ନିର୍ଦ୍ୱନ୍ଦରେ ବିଜୟୀ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ ): ଖପ୍ରାଖୋଲ ବ୍ଲକର ବିଭିନ୍ନ ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରୁ ୩୯ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏଥିସହିତ ଖପ୍ରାଖୋଲ ପଞ୍ଚାୟତର ସରପଞ୍ଚ ଭାବେ ବେଟିଖାଇ ସେନ୍ଦ୍ରିଆ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ କି ଖପ୍ରାଖୋଲ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡସଭ୍ୟ ନିମନ୍ତେ ସମୁଦାୟ ୬୮୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ସରପଞ୍ଚ ପ୍ରାର୍ଥୀ ୧୧ ଜଣ, ସମିତିସଭ୍ୟ ପ୍ରାର୍ଥୀ ୧୧ଜଣ ଏବଂ ୱାର୍ଡସଭ୍ୟ ପ୍ରାର୍ଥୀ ୧୭ ଜଣ ପ୍ରାର୍ଥପତ୍ର ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି । ଏବେ ସରପଞ୍ଚ ପାଇଁ ୧୨୦ ଜଣ, ସମିତିସଭ୍ୟ ପାଇଁ ୯୮ ଜଣ ଏବଂ ୱାର୍ଡସଭ୍ୟ ପାଇଁ ୪୨୩ ଜଣ ପ୍ରାର୍ଥୀଙ୍କ ସମେତ ସମୁଦାୟ ୬୪୧ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ରହିଥିବା ଦେଖିବାକୁ ମିଳିଛି ।

ଖପ୍ରାଖୋଲ ପଞ୍ଚାୟତର ସରପଞ୍ଚ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ତରୁଲତା ଭୋଇ ଏବଂ ବନିତା ତାଣ୍ଡି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ଏକମାତ୍ର ପ୍ରାର୍ଥୀ ଭାବେ ବେଟିଖାଇ ସେନ୍ଦ୍ରିଆ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ବେଟିଖାଇ ସେନ୍ଦ୍ରିଆ ଖପ୍ରାଖୋଲ ଡାକ୍ତରଖାନାରେ ଏଲଏଚଭି ଭାବେ କାର୍ୟ୍ୟ କରି ଚାରିବର୍ଷ ତଳେ ଅବସର ଗ୍ରହଣ କରିଥିଲେ । ତାଙ୍କର ଭାଇ ସତ୍ୟାନନ୍ଦ ସେନ୍ଦ୍ରିଆ ବିଜେପି ଦଳର ହୋଇଥିବା ବେଳେ ବିଜେପି ଦଳର ସମର୍ଥିତ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢୁଥିଲେ । ସରକାରୀ ଭାବେ ଏହା ଘୋଷଣା ହୋଇନଥିବା ବେଳେ ଖପ୍ରାଖୋଲ ଜନସାଧାରଣଙ୍କର ଏହା ବିଜୟ ଅଟେ ବୋଲି ଶ୍ରୀମତୀ ସେନ୍ଦ୍ରିଆ ପ୍ରକାଶ କରିଛନ୍ତି । ବିଜୟ ପରେ ପାଟଣାଗଡ଼ର ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂ ଦେଓ, ପୂର୍ବତନ ସରପଞ୍ଚ ନନ୍ଦୁ ବରିହା, ଜନାର୍ଦ୍ଦନ ସୁନା ଓ ନାରାୟଣ ଦଣ୍ଡସେନା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published.