ବିଜେପି ତରଫରୁ ଖଇରାରେ ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ୱର, (ନାଗରାଜ ନ୍ୟୁଜ ): ଭାରତୀୟ ଜନତା ପାର୍ଟି ତରଫରୁ ବିଭିନ୍ନ ଦାବି ନେଇ ଗତକାଲି ଖଇରା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମୃତ ମମିତା ମେହରଙ୍କ ପରିବାରକୁ ନ୍ୟାୟ, ନାରୀମାନଙ୍କୁ ସୁରକ୍ଷା ଦେବା ଏଭଳି ଅନେକ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସନସାଇନ ମହାବିଦ୍ୟାଳୟ ଏକ ଘରୋଇ ଅନୁଷ୍ଠାନ ହୋଇଥିବା ସତ୍ତେ୍ୱ ଓଡିଶା ରାଜକୋଷରୁ ପ୍ରାୟ ୩୨ ଲକ୍ଷ ଟଙ୍କାର ସହାୟତା କାହା ଉଦ୍ଦେଶ୍ୟରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଦେଇଛନ୍ତି ଏନେଇ ବିଜେପି ପ୍ରଶ୍ନ କରିଛି । ଏହାସହ ବିଜେପି ଏହା ମଧ୍ୟ କହିଛିଯେ, ମନ୍ତ୍ରୀ ପ୍ରତାପ ଜେନା ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ଦ୍ୱାରା ଯାଇ ଗୋବିନ୍ଦ ସାହୁଙ୍କ ଅନୁଷ୍ଠାନକୁ ନବୀନ ବାବୁଙ୍କ ଆଶୀର୍ବାଦ ବୋଲି ମନ୍ତବ୍ୟ ଦେଇଛନ୍ତି । ବିଜେପି କର୍ମି ବ୍ଲକ ସମ୍ମୁଖରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ କୁଶପୁତଳିକା ଦାହ କରିଛନ୍ତି । ଏହି ସଭାରେ ପତିତପାବନ କର ସଭାପତିତ୍ୱ କରିଥିଲେ ।

ଯୁବନେତା ନୀଳମାଧବ ପଣ୍ଡା, ଖଇରା ମଣ୍ଡଳ ସଭାପତି ରାଜେଶ କୁମାର ରାଉତ, ଡମ୍ବରୁଧର ମହାନ୍ତି, ଝିଙ୍କିରିଆ ସମିତିସଭ୍ୟ କୈଳାସ ଚନ୍ଦ୍ର ମାଝୀ, ବିମ୍ବାଧର ଦଳାଇ, ଆନନ୍ଦ ବଲ୍ଲଭ ନାୟକ ଓ ନିଳାମ୍ବର ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଜେପି ନେତା ପଦ୍ମଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଉକ୍ତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏପରି ଏକ ସମ୍ବେଦନଶୀଳ ଘଟଣାର ଗୁରୁତ୍ୱ ଉପଲବ୍ଧି କରି ତୁରନ୍ତ ଦୋଷୀକୁ ଗିରଫ କରିବା ସହ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବାକୁ ଖଇରା-ସିମୁଳିଆ ବିଜେପି ତରଫରୁ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କ ଅନୁପସ୍ଥିତିରେ ଖଇରା ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published.