ବଦଳିବ ରୂପରେଖ, କଟକ ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ ରେଳ ଷ୍ଟେସନ

କଟକ, (ନାଗରାଜ ନ୍ୟୁଜ): ବଦଳିବ ରୂପରେଖ, କଟକ ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ ରେଳ ଷ୍ଟେସନ । ଏନେଇ ଆଜି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଟକ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ତଥା ଦ୍ୱିତୀୟ ଫାଟକକୁ ସିଧାସଳଖ ଜାତୀୟ ରାଜପଥ ସହ ସଂଯୋଗ କରାଯିବ । ସେହିପରି ମାଲଗୋଦାମ ପଟୁ ସଂଯୋଗ ରାସ୍ତାକୁ ମରାମତି କରାଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି କଟକ ଗସ୍ତରେ ଆସି ରେଳ ଷ୍ଟେସନରେ ପୂର୍ବ ପ୍ରବେଶ ଦ୍ୱାରର ଉନ୍ନତି କରଣର  ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ପୂର୍ବରୁ ଗୋଟିଏ ପଟରେ ପ୍ରବେଶ ଦ୍ୱାର ଥିଲା ବେଳେ ଏବେ ଷ୍ଟେସନର ଉଭୟ ପଟରେ ରହିବ ପ୍ରବେଶ ଦ୍ୱାର ।

ଏହାସହ ଷ୍ଟେସନ ନିକଟରେ ଗାଡି ପାର୍କିଂ, ପିକଅପ ଓ ଡ୍ରପ ପଏଣ୍ଟ, ଆମ୍ବୁଲାନ୍ସ ପାର୍କିଂ ଏବଂ ଭିଆଇପି ପାର୍କିଂ ସହ ପ୍ରଶସ୍ତ ସଂଯୋଗୀକରଣ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ମଧ୍ୟ କରିଛନ୍ତି । ତେବେ ଭୁବନେଶ୍ୱରରୁ ବାହାରି ଆଠଗଡ଼ ସ୍ଥିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ପହଞ୍ଚି ଏକ ମୋବାଇଲ ହେଲଥ ୟୁନିଟର ଶୁଭ ଉଦଘାଟନ ମଧ୍ୟ କରିଥିଲେ କେନ୍ଦ୍ର ମନ୍ତ୍ରୀ । ଏହାପରେ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦର୍ଶନ ସାରିବା ପରେ କଟକ ରେଲୱେ ଷ୍ଟେସନରେ ପହଞ୍ଚି କଟକ ଷ୍ଟେସନର ନିରୀକ୍ଷଣ କରିବା ସହ ଯାତ୍ରୀ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ । ଚୌଦ୍ୱାର କଟକ ନିର୍ବାଚନମଣ୍ଡଳୀ ପକ୍ଷରୁ ବିଧାୟକ ସୌଭିକ୍ ବିଶ୍ୱାଳ ରେଳମନ୍ତ୍ରୀଙ୍କୁ ସ୍ୱାଗତ କରି ଏକ ବିରାଟ ଶୋଭାଯାତ୍ରା କରିଥିଲେ । ଅନ୍ୟପଟେ କଟକ ସହର ସହିତ ତାଙ୍କର ଭାବାବେଗ ସମ୍ପର୍କ ରହିଛି । ଏହି ସହର ମୋତେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲା ବୋଲି ଭାବାବେଗରେ ପ୍ରତିକ୍ରିୟା ଦେଇଥିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ ମାଧ୍ୟମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ପୁର୍ବତନ ରେଳବାଇ ଅଧିକାରୀ, ଜିଲ୍ଲାପାଳ ଭବାନୀ ଚଇନି, ସିଏମସି କମିଶନର ଅନନ୍ୟା ଦାଶ୍, ବିଭାଗୀୟ ଅଧିକାରୀ ଓ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀଙ୍କ କଟକ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published.