ଶ୍ରୀମନ୍ଦିରରେ ଦେବ ଦୀପାବଳୀ ପାଳିତ

ପୁରୀ, (ନାଗରାଜ ନ୍ୟୁଜ): ଶ୍ରୀମନ୍ଦିରରେ ମାର୍ଗଶୀର କୃଷ୍ଣ ଚତୁର୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ଏହି ୩ ଦିନ ଦୀପଦାନ କରିଥାନ୍ତି । ଏହି ପିତୃପୁରୁଷଙ୍କ ମଧ୍ୟରେ ଦଶରଥ, କୋଶଲ୍ୟା, ନନ୍ଦ, ଯଶୋଦା, ବସୁଦେବ, ଦେବକୀ, ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କ ଉଦେଶ୍ୟରେ ଦୀପଦାନ କରାଯାଇଥା । ମାର୍ଗଶୀର କୃଷ୍ଣ ପକ୍ଷ ଚତୁର୍ଦ୍ଧଶୀରେ ସନ୍ଧ୍ୟା ଧୂପ ବଢ଼ିବା ପରେ ସୁଧୁସୁଆର ସିଂହାସନ ତଳେ ପାଣି ପକାଇ ସଫା କରିଥାନ୍ତି। ତତ୍ପରେ ପୋଛା ମାରିଥାନ୍ତ। ଏହାପରେ ଭଣ୍ଡାର ମେକାପ ଚାଉଳରେ ଗୋଟିଏ ଗଛ ସିଂହାସନ ତଳେ କରିଥାନ୍ତି । ପାଳିଆ ମେକାପ ବଇଠା ମାନଙ୍କରେ ଘିଅ ଦେଇ ଉକ୍ତ ଚାଉଳ ଗଛ ମାନଙ୍କରେ ବତୀ ଲଗାଇଥାନ୍ତି । ୩ ଗୋଟି ସୁନା ଆଳତି ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳ ଗଛଗୁଡିକ ସଂସ୍କାର କରି ପାଣି ଛଡ଼ାଇବା ପରେ ପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ପ୍ରମୁଖ ସେବକ ତ୍ରୟ ସିଂହାସନ ଉପରକୁ ଉଠି ତିନି ବାଡ଼ରେ ବନ୍ଦାପନା କରିଥାନ୍ତି । ତତ୍ପରେ ୩ ଗୋଟି ମହାଦୀପରେ ବନ୍ଦାପନା ହୋଇଥାଏ । ଏହି ସମୟରେ ତିନି ଜଣ ପାଳିଆ ପୂଜାପଣ୍ଡା ଉକ୍ତ ମହାଦୀପକୁ ହାତରେ ଧରି ଜୟ ବିଜୟ ଦ୍ୱାର ଭିତର ପାଖେ ଆସ୍ଥାନ ପଢ଼ିଆରୀ କରିଥିବା ଚାଉଳ ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରି ପାଣି ଛଡ଼ାନ୍ତି । ଏହାପରେ ମହାଦୀପ କଳସ ଧରି ପାଳିଆ ଚୁନରାଙ୍କୁ ପ୍ରଦାନ କରିଥାନ୍ତି । ଚୁନରା ସେବକ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ତେଲ, ଘିଅ ନେଇ ଅଁଳା ବେଢ଼ା ଉପରେ ଦୀପମାନ ଜାଳନ୍ତି ଓ ଚନ୍ଦ୍ରଉଡ଼ିଆ ଜାଳି ଗଜପତି ମହାରାଜଙ୍କ ନାମ ଉଚ୍ଚାରଣ ପୂର୍ବକ ତାଙ୍କ ମଙ୍ଗଳ କାମନା କରିଥାନ୍ତି ।

ମହାପ୍ରଭୁଙ୍କ ଏହି ଦୀପ ଦାନ ସମୟରେ ଏକ ସ୍ୱତନ୍ତ୍ର ବେଶ ହୋଇଥାଏ । ଏହା ଶ୍ରାଦ୍ଧ ବେଶ ନାମରେ ପରିଚିତ । ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉ ମାନଙ୍କୁ ନାଗପୁରୀ ଶାଢ଼ୀ ଚାଦରରେ ଶ୍ରାଦ୍ଧ ବେଶରେ ଭୂଷିତ କରିଥାନ୍ତି । ଏଥିରେ ଶ୍ରୀଜୀଉମାନେ ଧବଳ ବସ୍ତ୍ର ପରିହିତ ହୋଇଥାନ୍ତି, କିନ୍ତୁ ପ୍ରତ୍ୟକ ଠାକୁରଙ୍କ ଲୁଗାର ଧଡି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଲାଗି ହେଉଥିବା ଧଳା ବସ୍ତ୍ରର ଧଡ଼ିର ରଙ୍ଗ ହଳଦିଆ । ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କୁ ଲାଗି ହେଉଥିବା ଧଳା ବସ୍ତ୍ର ର ଧଡ଼ି କଳା । ମା’ ସୁଭଦ୍ରାଙ୍କୁ ଲାଗି ହେଉଥିବା ଧଳା ବସ୍ତ୍ରର ଧଡିର ରଙ୍ଗ ନାଲି ବର୍ଣ୍ଣର ହୋଇଥାଏ । ଶ୍ରୀଜୀଉମାନଙ୍କ ତ୍ରିମୁଣ୍ଡିରେ ଶ୍ରୀକପଡ଼ାରେ ଆବୃତ କରାଯାଇଥାଏ । ଚାଦରଟି ଶ୍ରୀଭୁଜରେ ପ୍ରସାରିଥାଏ । ଏହି ବେଶରେ ଶ୍ରୀଜୀଉମାନେ ତଦଗୀ, କୁଣ୍ଡଳ, ନଳି ଭୁଜ, ଚନ୍ଦ୍ର ସୂର୍ୟ୍ୟ, ଆଡ଼କାନି, କମରପଟି ଓ ହରିଡ଼ା ମାଳି ଆଦି ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି । ଏହି ଦେବ ଦୀପାବଳୀ ନୀତି ଉପଲକ୍ଷେ ଶ୍ରୀମନ୍ଦିର ଦୀପମାଳାରେ ସୁସଜ୍ଜିତ ହୋଇଥାଏ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉକ୍ତ ବେଶ ଦର୍ଶନ କରି କୃତାର୍ଥ ହୋଇଥାନ୍ତି ।

 

Leave a Reply

Your email address will not be published.