୬ ଦିନ ବିତିବା ପରେ ବି ମିଳୁନି ନ୍ୟାୟ, ଶାଶୁ ଘର ଆଗରେ ବସି ରହିଛି ବୋହୁ ସୁଭସ୍ମିତା

ବାଲେଶ୍ଵର, (ନାଗରାଜ ନ୍ୟୁଜ): ଆଠ ବର୍ଷର ପୁଅକୁ ଧରି ଶାଶୁଘର ଆଗରେ ବସି ରହିଛି ବୋହୁ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଧୀନ ନାବରା ଗ୍ରାମରେ । ସୂଚନାରୁ ପ୍ରକାଶଯେ, ନାବରା ଗ୍ରାମର ହରିପଦ ଦେଙ୍କ ସହିତ ସୁଭସ୍ମିତାଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା । ବର୍ତ୍ତମାନ ତାଙ୍କର ଏକ ଆଠ ବର୍ଷର ପୁଅ ଅଛି । ସ୍ୱାମୀ ହରିପଦ ଓ ସ୍ତ୍ରୀ ଶୁଭସ୍ମିତାଙ୍କ ମଧ୍ୟରେ କୌଣସି କାରଣରୁ ମନୋମାଳିନ୍ୟ ହେବା ତଥା ଶାଶୁଘର ଲୋକେ ଅଧିକ ଯୌତୁକ ଦାବିକରି ସୁଭସ୍ମିତାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେବାରୁ ଏଥିରେ ଅତିଷ୍ଠ ହୋଇ ଶୁଭସ୍ମିତା ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଯାହାର ବର୍ତ୍ତମାନ ବିଚାର ଚାଲୁ ରହିଛି ।

କିନ୍ତୁ ସୁଭଶ୍ମିତାର ଆଠ ବର୍ଷର ପୁଅ ଥିବାବେଳେ ବାଲେଶ୍ଵରର ସିଡବ୍ଲ୍ୟୁସି ପୁଅକୁ ମା’ଙ୍କ ସହିତ ରହିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ସିଂଲା ପୋଲିସଙ୍କୁ ନିର୍ଦ୍ଦେଶ ରହିଛି ମା ଓ ପୁଅକୁ ଶାଶୁଘରେ ଥଇଥାନ କରିବାପାଇଁ । ସେହି ଅର୍ଡର ବଳରେ ଶୁଭସ୍ମିତା ଓ ତାଙ୍କ ପୁଅ ନାବରା ଗ୍ରାମର ହରିପଦ ଦେଙ୍କ ଘରକୁ ଆସିଥିବାବେଳେ ଶାଶୁଘର କିନ୍ତୁ ଘରେ ପୁରାଇ ଦେଲେ ନାହିଁ । ଫଳରେ ନ୍ୟାୟ ପାଇଁ ଆଜକୁ ୬ ଦିନ ହେବ ଶୀତ କାକରରେ ଘର ସାମ୍ନାରେ ଅନଶନରେ ବସିଛନ୍ତି । ସେଠାରେ ସେ ରନ୍ଧାବଢ଼ା କରି ମଧ୍ୟ ଖାଉଛନ୍ତି । ତେବେ ହରିପଦ ଦେଙ୍କ ଗେଟ୍ ରେ ତାଲା ପଡିଛି । ସିଂଲା ଥାନା ଅଧିକାରୀ କେବଳ ଦୁଇଜଣ ସୁରକ୍ଷା କର୍ମୀକୁ ଜଗେଇଦେଇ ନିଜର କର୍ତ୍ତବ୍ୟ ସାରିଦେଇଛନ୍ତି । ତେଣୁ ଯେତେ ପର୍ଯ୍ୟନ୍ତ ଶୁଭସ୍ମିତା ତଥା ତାଙ୍କ ପୁଅଙ୍କୁ ନ୍ୟାୟ ନ ମିଳିଛି ସେମାନେ ସେହିପରି ଘର ସାମ୍ନାରେ ବସିବେ ବୋଲି ଦମ୍ଭର ସହିତ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.