ରୋଗୀଙ୍କ ମୃତ୍ୟୁକୁ ନେଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଉତ୍ତେଜନା, ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ

ରାଉଲକେଲା,(ନାଗରାଜ ନ୍ୟୁଜ ): ରାଉରକେଲା ସ୍ଥିତ ସରକାରୀ ଚିକିତ୍ସାଳୟରେ ଘଟିଛି ଏକ ଅଭାବନୀୟ ଘଟଣା । ଚିକିତ୍ସାରେ ଅବହେଳା ଏବଂ ଭୁଲ ଚିକିତ୍ସା ଯୋଗୁଁ ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳର ଜଣେ ଯୁବତୀ ସରୋଜିନୀ କାକ ରଜତ ରକ୍ତ ହୀନତା ରୋଗରେ ପୀଡିତ ହୋଇ କୁତ୍ରା ଡାକ୍ତରଖାନାରେ ଚିକିତ୍ସିତ ଥିଲେ । ସେଠାରେ ରକ୍ତ ଦେବାର ସୁବିଧା ନଥିବାରୁ ସରୋଜିନୀଙ୍କୁ ତାଙ୍କ ପରିବାର ଲୋକେ ରାଉରକେଲା ସରକାରୀ ଚିକିତ୍ସାଳୟରେ ୧୧ ନଭେମ୍ବର ରାତିରେ ଭର୍ତ୍ତି କରିଥିଲେ । ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଉନ୍ନତି ନ ଘଟିବାରୁ ତାଙ୍କୁ ରକ୍ତ ଦିଆଯାଇଥିଲା । ରକ୍ତ ନେବା ପରେ ସେ ଆହୁରି ଅସୁସ୍ଥ ହୋଇ ପଡ଼ିଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସରୋଜିନୀଙ୍କ ଭଉଣୀ ନର୍ସଙ୍କୁ ଡାକିଥିଲେ । ମାତ୍ର ନର୍ସ ବହୁ ବିଳମ୍ବରେ ଆସିବା ଅଭିଯୋଗ ହୋଇଛି । ଚିକିତ୍ସିତ ଅବସ୍ଥାରେ ଗୁରୁବାର ସନ୍ଧ୍ୟାରେ ସରୋଜିନୀଙ୍କ ମୃତ୍ୟୁ ହୋଇଥିଲା ।

ତାଙ୍କ ଭଉଣୀଙ୍କୁ ଯେଉଁ ଗ୍ରୁପର ରକ୍ତ ଦେବା କଥା ତାହା ନ ଦେଇ ଭିନ୍ନ ଗ୍ରୁପର ରକ୍ତ ଦିଆଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭଉଣୀ । ଚିକିତ୍ସାରେ ଅବହେଳା ତଥା ଦାୟିତ୍ୱହୀନତା ବାବଦରେ ରାଉରକେଲା ସରକାରୀ ଡାକ୍ତରଖାନାର ସୁପରିଟେଡେଣ୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏକ ପାଞ୍ଚ ଜଣିଆ ଡାକ୍ତରୀ ଟିମ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସୁପରିଟେଣ୍ଡେଣ୍ଟ କହିଛନ୍ତି । ତେବେ ରାଉରକେଲା ସରକାରୀ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ବାବଦରେ ସରୋଜିନୀଙ୍କ ପରିବାର ପକ୍ଷରୁ ରଘୁନାଥପାଲି ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ପାଇବା ପରେ ରଘୁନାଥପାଲି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published.