୧୦ ବର୍ଷ ହେବ ପୁଅର ଗୋଡ଼ରେ ବନ୍ଧା ହୋଇଛି ଜଞ୍ଜିରା, ଝିଅ ବୁଲୁଛି ପାଗଳି ହୋଇ

ଖଇରା, (ନାଗରାଜ ନ୍ୟୁଜ ): ୧୦ବର୍ଷ ହେବ ପୁଅର ଗୋଡ଼ରେ ବନ୍ଧା ହୋଇଛି ଜଞ୍ଜିରା, ୨୦ ବର୍ଷର ଝିଅ ବୁଲୁଛି ପାଗଳି ହୋଇ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖଇରା ବ୍ଳକ ନହଙ୍ଗ ପଞ୍ଚାୟତ ଶେରପୁର ଗ୍ରାମରେ । ଏହି ଗ୍ରାମର ଗୋପୀନାଥ ସେଠୀ ଓ ସ୍ତ୍ରି ତୁଳସୀ । ଗୋଟେ ପୁଅ ଓ ଦୁଇ ଝିଅଙ୍କୁ ନେଇ ତାଙ୍କର ପରିବାର । ଗୋପୀନାଥ ଜଣେ ଦିନ ମଜୁରିଆ ଭାବେ ପରିବାର ପ୍ରତିପୋଷଣ କରନ୍ତି । ପରିବାର ଏକମାତ୍ର ପୁଅ ଜଗତାନନ୍ଦ । ବୟସ ବଢ଼ିବା ସହିତ ବଢ଼ି ଚାଲିଛି ଦୁଷ୍ଟାମୀ । କିନ୍ତୁ ଏହା ଦୁଷ୍ଟାମୀ ନଥିଲା ଥିଲା ଶରୀରର ପରିବର୍ତ୍ତନ । ବହୁତ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ସୁଧାର ଆସିନଥିଲା । ଯେତେବେଳେ ଏହା ବଢିଚାଲିଲା ଶେଷରେ ଅନ୍ୟ କୌଣସି ଉପାୟ ନପାଇ ଗୋଡରେ ପଡ଼ିଲା ଜଞ୍ଜିରା । ସେତିକିରେ ଦୁଃଖ ସରିନଥିଲା ଗୋପୀନାଥଙ୍କର । ଝିଅ ଚନ୍ଦ୍ରିକାଙ୍କ ମଧ୍ୟ ଅବସ୍ଥା ସେହିଭଳି । ୯ ଶ୍ରେଣୀ ପର୍ୟ୍ୟନ୍ତ ପାଠ ପଢ଼ିବା ପରେ ସେ ଆଉ ପାଠ ପଢ଼ିପାରିନଥିଲେ । ତାଙ୍କର ମଧ୍ୟ ମାନସିକ ବିକୃତି ଯୋଗୁଁ ପାଠ ପଢ଼ା ବନ୍ଦ ହୋଇଗଲା । ଭାଇଭଉଣୀଙ୍କ ଏପରି ଅବସ୍ଥାରେ ଗୋପିନାଥ ପରିବାର ପ୍ରତିପୋଷଣ ପାଇଁ ଅକ୍ଷମ । ପୁଅ ସହିତ ଝିଅର ଏପରି ଅବସ୍ଥାରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି । କୌଣସି ବଦାନ୍ୟ ବ୍ୟକ୍ତି ଓ ସାମାଜିକ ସଂଗଠନ ସହଯୋଗର ହାତ ବଢ଼ାଇଲେ ପୁଅ ଝିଅଙ୍କ ଚିକିତ୍ସା ହୋଇପାରନ୍ତା ଓ ସେମାନେ ଭଲ ହୋଇ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିପାରନ୍ତା ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published.