ରାଉରକେଲାରେ ୧୮-୪୪ ବର୍ଷ ବର୍ଗର ଭିନ୍ନକ୍ଷମ ହିତାଧିକାରୀଙ୍କୁ କୋଭିଡ ଟିକା

ରାଉରକେଲା: ରାଉରକେଲା ସହରରେ ଥିବା ୧୮-୪୪ ବର୍ଷ ବର୍ଗର ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ରବିବାର ଦିନ ୬ଟି କେନ୍ଦ୍ରରେ ସ୍ଵତନ୍ତ୍ର କ୍ୟାମ୍ପ କରାଯାଇଥିଲା । ୧୪୯ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯାଇଛି । ହିତାଧିକାରୀମାନେ ନିକଟସ୍ଥ କେନ୍ଦ୍ରକୁ ଆସି ଟିକା ନେଇଛନ୍ତି । ଏଥିପାଇଁ ସଂପୃକ୍ତ ହିତାଧିକାରୀ ଏବଂ ତାଙ୍କ ଅଭିଭାବକମାନେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।

ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ଟିକାଦାନ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ବସିବା ପାଇଁ ଚେୟାର, ହ୍ୱିଲ ଚେୟାର ଆଦି ସହିତ ପିଇବା ପାଣିର ବ୍ୟବସ୍ଥା ରହିଥିଲା । ଏହା ସହ ଏହି ହିତାଧିକାରୀମାନେ କିପରି ସୁବିଧାରେ ଟିକା ନେବେ ସେଥିଲାଗି ସମସ୍ତ କେନ୍ଦ୍ରରେ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଥିଲା । ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ବିଭିନ୍ନ ଟିକାଦାନ କେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିଥିଲେ ।

ସକାଳ ୮ଟାରୁ ଟିକାଦାନ ଆରମ୍ଭ ହୋଇ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ), ଆଇଜିଏଚର ନେହେରୁ ଓପିଡି, ବନ୍ଧମୁଣ୍ଡା ତିଲକାନଗରସ୍ଥିତ ୟୁପିଏଚସି, ବାସନ୍ତୀ କଲୋନୀ ଡିଏଲ୍ ଛକସ୍ଥିତ ଡିଏଭିଏମଏସି ୟୁପିଏଚସି, ଧାମରା ବସ୍ତି ନିକଟ ଛେଣ୍ଡ କଲୋନୀ ୟୁପିଏଚସି ଏବଂ କୋଏଲ ନଗର ୟୁପିଏଚସିରେ ଟିକାଦାନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ହିତାଧିକାରୀମାନେ ଆଧାର କାର୍ଡ ଓ ଭିନ୍ନକ୍ଷମ ପ୍ରମାଣପତ୍ର ସହିତ ଟିକାଦାନ କେନ୍ଦ୍ରକୁ ସିଧାସଳଖ ଆସି ସେଠାରେ ପଞ୍ଜୀକରଣ କରି ଟିକା ନେଇଥିଲେ। ସମସ୍ତ କେନ୍ଦ୍ରରେ କୋଭିଡ୍ ନିୟମ ପାଳନ କରାଯାଇଥିଲା। ହିତାଧିକାରୀ ଏବଂ ତାଙ୍କ ଅଭିଭାବକମାନେ ମାସ୍କ ପିନ୍ଧିବା ସହ ପରସ୍ପରଠାରୁ ଶାରୀରିକ ଦୂରତା ରକ୍ଷା କରିଥିଲେ।

Leave a Reply

Your email address will not be published.