ଢେଙ୍କାନାଳରେ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ୍

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ୍ଠାରେ ବୁଧବାରଠାରୁ ୪ର୍ଥ ସର୍ବଭାରତୀୟ ନିମନ୍ତ୍ରିତ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବ । ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରର ୧୨ଟି ଫୁଟବଲ୍ ଟିମ୍ ଅଂଶଗ୍ରହଣ କରିବେ । ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍୍ ମ୍ୟାଚ୍ ୨୭ ତାରିଖରେ ଅନୁଷ୍ଠିତ ହେବ । ପ୍ରତ୍ୟହ ଅପରାହ୍ନ ୩ଟାରୁ ମ୍ୟାଚ୍ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏଁ ଚାଲିବ ବୋଲି ଜିଲ୍ଲା କ୍ରୀଡା ସଂଘ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏ ନେଇ ଜିଲ୍ଲା କ୍ରୀଡାସଂଘର ସଂପାଦକ ନଳିନୀ କୁମାର ଦାସ କହିଛନ୍ତି ଯେ, ଢେଙ୍କାନାଳରେ ୪ ବର୍ଷ ଧରି ସର୍ବଭାରତୀୟ ନିମନ୍ତ୍ରିତ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରାଯାଉଛି । ଜିଲ୍ଲା କ୍ରୀଡାସଂଘ ଆୟୋଜନ ଓ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ସହଯୋଗରେ ସ୍ୱର୍ଗତ ଅଧିକାରୀ ସାମଲ ମେମୋରିଆଲ ଟ୍ରଷ୍ଟ ଏହାର ପ୍ରାୟୋଜକ ରହିଛନ୍ତି । ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟ୍ରେ ରାଜ୍ୟର ୬ଟି ଓ ରାଜ୍ୟ ବାହାରର ୬ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି । ଉଦ୍ଘାଟନୀ ମ୍ୟାଚ୍ ମା’ ମଙ୍ଗଳା ଫୁଟବଲ କ୍ଲବ୍ ଢେଙ୍କାନାଳ ଓ ଜଗା ୟୁନାଇଟେଡ୍ ଭୁବନେଶ୍ୱର ମଧ୍ୟରେ ଖେଳାଯିବ । ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଟୁର୍ଣ୍ଣାମେଣ୍ଟ୍କୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୦ ତାରିଖରେ ପ୍ରଥମ ସେମିଫାଇନାଲ୍ ଓ ୨୫ ତାରିଖରେ ଦ୍ୱିତୀୟ ସେମିଫାଇନାଲ୍ ଖେଳାଯିବ । ୨୭ ତାରିଖରେ ଟୁର୍ଣ୍ଣାମେଣ୍ଟ୍ର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡାସଂଘ ଉପସଭାପତି ସଞ୍ଜୟ କୁମାର ଭଞ୍ଜ, ପ୍ରେମାନନ୍ଦ ବିହାରୀ, ସହସଂପାଦକ ଅଭିଜିତ୍ ମିଶ୍ର ଓ ସଦସ୍ୟ ମନୋଜ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.