ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର

କଟକ, (ନାଗରାଜ ନ୍ୟୁଜ): ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଜଷ୍ଟିସ ମହାପାତ୍ରଙ୍କୁ ଶପଥ ପାଠ କରାଇଛନ୍ତି । ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଶପଥ ପାଠ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ବହୁ ବରିଷ୍ଠ ଆଇନଜୀବୀ, ବାର ଆସୋସିଏସନ କର୍ମକର୍ତ୍ତା, ପୋଲିସ ଡିଜି, ପୋଲିସ କମିଶନରଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ରହିଛନ୍ତି ।

କଟକ ସୁତାହାଟର ବାସିନ୍ଦା ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ରାଜ୍ୟର ସର୍ବବୃହତ ପବ୍ଲିକେସନ ହାଉସ ଗ୍ରନ୍ଥ ମନ୍ଦିର ପ୍ରକାଶକଙ୍କ ପରିବାର ସଦସ୍ୟ । ଜଷ୍ଟିସ ମହାପାତ୍ରଙ୍କ ଜେଜେ ବାପା ଶ୍ରୀଧର ମହାପାତ୍ର ଗ୍ରନ୍ଥ ମନ୍ଦିରର ପ୍ରତିଷ୍ଠାତା ଥିଲେ । ବାପା ସ୍ୱର୍ଗତ ଅଭିରାମ ମହାପାତ୍ର ଦୀର୍ଘ ଦିନ ଧରି ଗ୍ରନ୍ଥ ମନ୍ଦିରର ପବ୍ଲିକେସନ ବୁଝାବୁଝି କରୁଥିଲେ । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ୧୯୮୪ ମସିହାରେ ରେଭେନ୍ସା କଲଜିଏଟ ସ୍କୁଲରୁ ମାଟ୍ରିକ ପାସ୍ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଥିଲେ । ଏହାପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ଶେଷ କରି ୧୯୯୫ ମସିହାରେ ରାଜ୍ୟ ଆଇନଜୀବୀ ପରିଷଦରେ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିଲେ । ସେହିବର୍ଷ ଠାରୁ ଓଡିଶା ହାଇକୋର୍ଟରେ ସେତେବେଳେର ଜଣାଶୁଣା ଓକିଲ ଜଷ୍ଟିସ ପିକେ ମିଶ୍ରଙ୍କ ଜୁନିୟର ଭାବେ ଓକିଲାତି ଆରମ୍ଭ କରିଥିଲେ । ଓଡିଶା ମାନବିକ ଅଧିକାର ଆୟୋଗ, ବିପିୟୁଟି ଓ ଭାରତୀୟ ନିର୍ବାଚନ କମିଶନଙ୍କର ଓକିଲ ଭାବେ ସେ ଓଡିଶା ହାଇକୋର୍ଟରେ ଗୁରୁ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ସମସ୍ତ ପ୍ରକାର ମାମଲାର ପରିଚାଳନାରେ ସିଦ୍ଧହସ୍ତ ଥିଲେ । ଦୀର୍ଘ ୨୬ ବର୍ଷ ଧରି ହାଇକୋର୍ଟରେ ବହୁ ମାମଲା ସଫଳତାର ସହ ସେ ପରିଚାଳନା କରି ଆସୁଥିଲେ।ନିକଟରେ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁ, ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ହାଇକୋର୍ଟ ଜଜ୍ ଭାବେ ଶପଥ ଗ୍ରହଣ କରିଥିଲେ । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଶପଥ ଗ୍ରହଣ କରିବା ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୮ ରେ ପହଞ୍ଚିଛି ।

 

Leave a Reply

Your email address will not be published.