ଜାତୀୟ ମତଦାତା ଦିବସ ପାଳିତ

ପୁରୀ, (ନାଗରାଜ ନ୍ୟୁଜ): ଜିଲ୍ଲାସ୍ତରୀୟ ୧୨ତମ ଜାତୀୟ ମତଦାତା ଦିବସ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଏଥିରେ ଅ‍ତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ଗଣତନ୍ତ୍ର ଗଠନ ନିମନ୍ତେ ସୁସ୍ଥ ଭୋଟର ତାଲିକାର ଆବଶ୍ୟକତା ରହିଛି । ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ ରହିବା ଉଚିତ । ପ୍ରତ୍ୟେକ ଭୋଟର ନିଜ ମତ ଅନୁଯାୟୀ ପ୍ରାର୍ଥୀ ନିର୍ବାଚିତ କରିବାର ପୂର୍ଣ୍ଣ କ୍ଷମତା ରହିଛି ଯାହା ଗଣତନ୍ତ୍ର ପ୍ରକ୍ରିୟାର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ସେହିଭଳି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ, ନିର୍ବାଚନ ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତଦାତା ମାନଙ୍କ ଅଧିକାର ଓ କର୍ତ୍ତବ୍ୟ ସଂପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମତଦାତା ସଂକଳ୍ପ ଶପଥପାଠ କରାଇଥିଲେ । ଜିଲ୍ଲାର ନୂତନ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଭୋଟର ତାଲିକା ପ୍ରସ୍ତୁତରେ ସହଯୋଗ କରିଥିବା ବୁଥ ସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜର ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଛି । ଜିଲ୍ଲାରେ ୧୫୯୩ ଜଣ ବୁଥ ସ୍ତରୀୟ ଅଧିକାରୀ ଏବଂ ୧୫୬ ଜଣ ସୁପରଭାଇଜର୍ ନିୟୋଜିତ ଅଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସହାୟକ ଜିଲ୍ଲାପାଳ ଶ୍ରୀ ରାଜବଲ୍ଲଭ ନାୟକ, ଶ୍ରୀ ଜଗନ୍ନାଥ ବେଦ, କର୍ମକାଣ୍ତ ମହାବିଦ୍ୟାଳୟର ଅଧ୍ୟାପିକା ଡା. ହରପ୍ରିୟା ଦାଶ, ଶ୍ରୀ ଜଗନ୍ନାଥ ଦାଶ, ଶ୍ରୀ ଭାଗିରଥି ସାହୁ, ଉପଖଣ୍ତ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନିତା ପଟ୍ଟନାୟକ, ବରିଷ୍ଠ ରାଜସ୍ବ ସହାୟକ ଶ୍ରୀ ପ୍ରିୟରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନ ମଣ୍ତଳୀରେ ମୋଟ ୧୩ ଲକ୍ଷ ୯୧ ହଜାର ୬୪ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୧୭ ହଜାର ୩୮୨ ଜଣ ପୁରୁଷ, ୬ ଲକ୍ଷ ୭୩ ହଜାର ୬୦୬ ଜଣ ମହିଳା ଏବଂ ୭୬ ଜଣ ଅନ୍ୟାନ୍ୟ ଭୋଟର ଅଛନ୍ତି । ଜିଲ୍ଲାର ୬ଟି ଜାକ ନିର୍ବାଚନ ମଣ୍ତଳୀ ନିମନ୍ତେ ୧୫୯୩ଟି ବୁଥ ରହିଥିବା ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଜଣାଇଛନ୍ତି ।

Leave a Reply

Your email address will not be published.