ଓସିଆଇ କମ୍ପାନୀର ଜମି ଅଧିଗ୍ରହଣକୁ ଘୋର ବିରୋଧ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଏବଂ କୁତ୍ରା ବ୍ଳକର ୫ଟି ପଞ୍ଚାୟତର ଜନସାଧାରଣ ଓସିଏଲ୍ କମ୍ପାନୀର ଜମି ଅଧିଗ୍ରହଣକୁ ଘୋର ବିରୋଧ କରିଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ଦାଦାଗିରି ଭାବରେ ଜମି ଅଧିଗ୍ରହଣ କରିବାକୁ ଚେଷ୍ଟା ଚଳାଇଥିବା ବେଳେ ଜିଲ୍ଲା ପ୍ରଶାସନ ପରୋକ୍ଷରେ କମ୍ପାନୀକୁ ସହଯୋଗ କରୁଥିବାର ଅଭିଯୋଗ ହେଉଛି । କଟଙ୍ଗ, କେଶ୍ରାମାଲ, ଲାଞ୍ଜିବେର୍ନା, କୁକୁଡ଼ା ଓ ଝଗରପୁର ଏହି ୫ଟି ପଞ୍ଚାୟତରେ ଜମି ଅଧିଗ୍ରହଣ ପାଇଁ ବିଗତ ଦିନରେ ଜନଶୁଣାଣୀର ଆୟୋଜନ କରାଯାଇଥିଲା । ହେଲେ ଜନସାଧାରଣ ଏହାକୁ ବିରୋଧ କରି ଜନଶୁଣାଣୀକୁ ବର୍ଜନ କରିଥିଲେ । ପରେ କମ୍ପାନୀ ଏବଂ ଜିଲ୍ଲା ପ୍ରଶାସନ ଗ୍ରାମସଭାରେ ଜମି ଅଧିଗ୍ରହଣ କରିବାକୁ ଚେଷ୍ଟା କରିଥିଲେ । ଗ୍ରାମସଭାକୁ ମଧ୍ୟ ଜନସାଧାରଣ ଏଡିଏମ୍, ଉପଜିଲ୍ଲାପାଳ, ତହସିଲଦାର ଓ ବିଡ଼ିଓଙ୍କ ସମ୍ମୁଖରେ ରଦ୍ଦ କରିଥିଲେ । ଗ୍ରାମସଭାକୁ ରଦ୍ଦ କରାଗଲା କହି ଏକ ଲିଖିତ ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ପଞ୍ଚାୟତବାସି ଦେଇଥିଲେ । ହେଲେ ଜିଲ୍ଲାପାଳ କୈାଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ବାରମ୍ବାର ଜନସାଧାରଣ ଜମି ଅଧିଗ୍ରହଣକୁ ବିରୋଧ କରିବା ସତ୍ତ୍ୱେ ପ୍ରଶାସନ ଏବଂ କମ୍ପାନୀ ଗରିବ ଆଦିବାସୀ ଜମିକୁ ହାତେଇବାପାଇଁ ଚେଷ୍ଟା ଚଳାଇଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଏଆରଆର ଆକ୍ଟ -୨୦୧୩ର (ଜେ)ଫର୍ମଟି ଉପଜିଲ୍ଲାପାଳଙ୍କ ନିକଟରେ ଥାଏ । ଜମି ଅଧିଗ୍ରହଣ ସମୟରେ ଜମି ମାଲିକ ଉପଜିଲ୍ଲାପାଳଙ୍କ ସମ୍ମୁଖରେ ଦସ୍ତଖତ କରିବାର ନିୟମ ରହିଥିବାବେଳେ କମ୍ପାନୀର ଠିକାଦାର ଏବଂ ଦଲାଲମାନଙ୍କ ହାତରେ ଏହି ଫର୍ମ ଥିବା ଦେଖିବାକୁ ମିଳୁଛି । ଦଲାଲ ଏବଂ ଠିକାଦାରମାନେ ଏହି ଫର୍ମକୁ ନେଇ ନିରିହ ଗରିବ ଆଦିବାସୀ ଜମିମାଲିକମାନଙ୍କ ପାଖକୁ ଯାଇ ବିଭିନ୍ନ ପ୍ରଲୋଭନ ଦେଖାଇ ନତୁବା ନାନା ଧମକ ଚମକ ଦେଇ ଦସ୍ତଖତ ନେବାକୁ ଚେଷ୍ଟା ଚଳାଇଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published.