ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

୧.ଗଣମାଧ୍ୟମ ଜଡମାଧ୍ୟମ ନହେଉ
୨ ପାଠକ,ଶ୍ରୋତା ଓ ଦର୍ଶକ ସଚେତନ ହେଲେ ଗଣମାଧ୍ୟମ ନିରପେକ୍ଷ ହେବ
୩.ଏଵେ ସରକାରଙ୍କ କବଳରେ ଗଣମାଧ୍ୟମ
୪.ସାଧୁକୁ ଭଗବାନ କହିଲେ ଚଳିବ, ହେଲେ ଚୋରକୁ ସାଧୁ କୁହନାହିଁ
୫.ଖବର ଏବେ ଏକ ସାମଗ୍ରୀ: ସାମ୍ବାଦିକ ଭିନ୍ନ ଏକ ଦାଦନ
୬.ଜନଗଣ ଚାହିଁଲେ ଗଣମାଧ୍ୟମ ଶୃଙ୍ଖଳିତ ହେଵ
୭.ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ଯେପରି ରଂଗୀନ ବିଜ୍ଞାପନ ରେ ଭଳିଗଲେ ଗୁଣବତ୍ତା ମିଳେନାହିଁ, ଠିକ୍ ସେହିପରି ସରକାର, ରାଜନୈତିକ ଦଳ ବା ରାଜନେତାଙ୍କ ମର୍ଜୀରେ ପ୍ରକାଶିତ ସମ୍ବାଦ ସଫଳତା ପାଏନା।ଯଦି ଖବର ନିରପେକ୍ଷ କି ଚାପମୁକ୍ତ ନୁହେଁ,ଯଦି ଛପା ଖବର ଆକ୍ରମଣରେ ଚପା ଖବର ନିର୍ଯ୍ୟାତିତ, ସେଠାରେ ଏକ ଶୃଙ୍ଖଳିତ ସମାଜ ବା ବିକଶିତ ରାଜ୍ୟ ସମ୍ଭବ ନୁହେଁ। ପୁରୀ ସଂସ୍କୃତି ଭବନ ପରିସରରେ ସମ୍ବାଦପତ୍ର ଶ୍ରୀଶ୍ରୀ କ୍ଷେତ୍ର ସୂଚନା ର ସ୍ଵନକ୍ଷତ୍ର ଉତ୍ସବ ତଥା ସମ୍ମାନ ପ୍ରଦାନ ସମାରୋହ ଉପଲକ୍ଷେ ,”ଶୃଙ୍ଖଳିତ ସମାଜ ଗଠନ ରେ ଗଣମାଧ୍ୟମ”ଶୀର୍ଷକ ଆଲୋଚନାଚକ୍ର ରେ ଯୋଗଦାନ କରି, ଏଭଳି କହିଛନ୍ତି ଶିକ୍ଷାବିତ୍, ସାମ୍ବାଦିକ,ଅଭିନେତା, କାର୍ଯ୍ୟକ୍ରମ ଉପସ୍ଥାପିକା,ଟିଭି ସିରିଏଲ ଅଭିନେତ୍ରୀ, ବରିଷ୍ଠ ଅଧିବକ୍ତା, ରାଜନେତା, ମିଡ଼ିଆ ପ୍ରଶାସିକା। ସମ୍ବାଦପତ୍ର ର ପ୍ରକାଶକ ତଥା ସଂପାଦକ ରାଜେଶ ମହାନ୍ତିଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ଶତପଥୀ ସାମ୍ବାଦିକତା ଏକ ଧନ୍ଦା ନୁହେଁ ବରଂ ଏକ ଧର୍ମ ବୋଲି କହିଥିଲେ।ସେ କହିଥିଲେ ଯେ ସରକାରଙ୍କ ଚାପରେ ଆଜି ଚତୁର୍ଥ ସ୍ତମ୍ଭ ଜଡମାଧ୍ୟମ ହେବାକୁ ବସିଲାଣି। ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସିରିଏଲ୍ ଅଭିନେତ୍ରୀ କୀର୍ତ୍ତି ମହାନ୍ତି ମାଗତା ପାଠକଙ୍କ ପାଇଁ ଆଜି ଗଣମାଧ୍ୟମ ବିଜ୍ଞାପନ ଉପରେ ନିର୍ଭର କରି, ନିରପେକ୍ଷ ସମ୍ବାଦ ପରିବେଷଣ କରିପାରୁନାହିଁ ବୋଲି ମତପ୍ରକାଶ କରିଥିଲେ। ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ ଏହି ବିତର୍କ ଉପରେ କହିଥିଲେ ଯେ ଜନଗଣଙ୍କ ସ୍ବର ନ ଉଠିଲେ, ସଠିକ୍ ସମ୍ବାଦ ପାଇବା ସମ୍ଭବ ନୁହେଁ।ଏକ ଶୃଙ୍ଖଳିତ ସମାଜ ପାଇଁ ଗଣମାଧ୍ୟମ ଯେ ଅଛି,ଏହା ସନ୍ଦେହ ଘେରରେ। ଏହି ଆଲୋଚନା ଚକ୍ର ରେ ଯୋଗଦେଇ ଇଷ୍ଟର୍ଣ୍ ମିଡ଼ିଆ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଥିଲେ ଯେ ପାଠକ, ଶ୍ରୋତା ଓ ଦର୍ଶକ ଏକ ଶୃଙ୍ଖଳିତ ସମାଜ ପାଇଁ ସେମାନଙ୍କ ଭୂମିକା ର ଆତ୍ମସମୀକ୍ଷା କରିବା ଦରକାର ଓ ଭଲ ଖବର ପାଇଁ ଗଣମାଧ୍ୟମକୁ ବାଧ୍ୟ କରିବା ଦରକାର। ବିଶିଷ୍ଟ ସାମ୍ବାଦିକ ଅକ୍ଷୟ ସାହୁ ଏ ସଂପର୍କରେ କହିଥିଲେ ଯେ ସରକାରଙ୍କ ଚାପରେ ଆଜି ଗଣମାଧ୍ୟମ ପଥଭ୍ରଷ୍ଟ।ଏହି ଚାପରେ ବରଂ ସାଧୁକୁ ଈଶ୍ଵର କୁହାଯାଉ, ହେଲେ ଚୋରକୁ ସାଧୁ କୁହାନଯାଉ।ଏହି ବିତର୍କ ଉପରେ ମନ୍ତଵ୍ୟ ଦେଇ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ କହିଥିଲେ ଯେ ଗଣମାଧ୍ୟମ ଏକ ବ୍ୟବସାୟିକ ପ୍ରତିଷ୍ଠାନ ନହେଉ। ଜୀବନକୁ ବିପନ୍ନ କରି ସତ୍ୟ ଓ ନିରପେକ୍ଷ ସମ୍ବାଦ ଯୋଗାଉଥିବା ସାମ୍ବାଦିକଙ୍କୁ ମାଲିକମାନେ ଦାଦନ ଶ୍ରମିକ କରନ୍ତୁ ନାହିଁ।ଏହି ବିତର୍କ ରେ ଭାଗନେଇ ଅଭିନେତା କେଦାର ମିଶ୍ର ଜନଗଣଙ୍କୁ ଭଲଖବର ଦେଇ,ଏକ ଶୃଙ୍ଖଳିତ ସମାଜ ଗଠନ ଦିଗରେ ପ୍ରୟାସ କରିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିବାବେଳେ, ଓଡ଼ିଶା ର ବିଶିଷ୍ଟ ଅଧିବକ୍ତା ବିଭୁପ୍ରସାଦ ତ୍ରିପାଠୀ କହିଥିଲେ ଯେ ବିଭିନ୍ନ ରାଜନୈତିକ ଦଳ ଓ ସରକାରୀ ଦଳ ମାଲିକାନା ରେ ଚାଲୁଥିବା ସମ୍ବାଦପତ୍ରରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ଚାକିରୀ ହରାଇବା ଭୟରେ ଚାପଯୁକ୍ତ ହୋଇ କାମ କରିବା, ଗଣମାଧ୍ୟମ ପାଇଁ ଏକ ବିପଦ। ଓଡ଼ିଶାରେ ନେତୃତ୍ବ ଆମଦାନୀ-ରପ୍ତାନୀ ହେଉଥିବା ପରି, ଗଣମାଧ୍ୟମ ର ଖବରମାନେ ମଧ୍ୟ ଆମଦାନୀ ରପ୍ତାନି ହେଉଛନ୍ତି,ଯାହା ଏକ ଶୃଙ୍ଖଳିତ ସମାଜ ପାଇଁ କ୍ଷତିକାରକ। ସେହିପରି ଏହି ବିତର୍କରେ ନିଜର ମନ୍ତବ୍ୟ ରଖି ଗଣମାଧ୍ୟମ ସଞ୍ଚାଳିକା଼ ଗାୟତ୍ରୀ ମହାନ୍ତି କହିଥିଲେ ଯେ ଯେଉଁ ପାଠକ, ଶ୍ରୋତା ଓ ଦର୍ଶକଙ୍କ ପାଇଁ ଗଣମାଧ୍ୟମ ବଞ୍ଚିଛି, ସେହିମାନେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପାଇଁ ମିଳିତ ସ୍ବର ଉଠାଇବା ଦରକାର।ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ବିଶ୍ଵନାଥ ମିଶ୍ର ଓ ମଧୁସୂଦନ ମିଶ୍ର ସଞ୍ଚାଳନ କରିଥିଲେ।

ପରେ ପରେ ପ୍ରଫେସର ହରେକୃଷ୍ଣ ଶତପଥିଙ୍କ ଅଧ୍ୟକ୍ଷତା ତଥା ଉପଦେଷ୍ଟା ବଦ୍ରି ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ସମ୍ମାନ ପ୍ରଦାନ ସମାରୋହ ରେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ,ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ଡକ୍ଟର ପ୍ରଭାସ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ଉପ ଜିଲ୍ଲାପାଳ ଭବତାରଣ ସାହୁ, ଓଡ଼ିଶା ମୋ ପରିବାର ର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତରାୟ, ପ୍ରାକ୍ତନ ନଗରପାଳ ଗୌରହରି ପ୍ରଧାନ,ଭୂମୀ ସଂରଚନା ର ପରିଚାଳନା ନିର୍ଦ୍ଦେଶକ ରାକେଶ ସାମଲ, ହେକ୍ଟର ମିଶ୍ର,ମନୋଜ ରଥ , ସଂଗ୍ରାମ କେଶରୀ କାନୁନଗୋ, ବିଦ୍ରୋହ ସିଂହ ପ୍ରମୁଖ ଅତିଥି ଭାବରେ ଯୋଗଦେବା ସହ ଶ୍ରୀଶ୍ରୀ କ୍ଷେତ୍ର ସୂଚନା ର ଜନ୍ମବର୍ଷ ବିଶେଷାଙ୍କ ଉନ୍ମୋଚନ କରିଥିଲେ।ଏହି ଅବସରରେ ରାଜେଶ ମହାନ୍ତିଙ୍କ ସଂଯୋଜନା ରେ ସ୍ତମ୍ବକାର ବଦ୍ରି ମିଶ୍ର, ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ଟିକାୟତରାୟ, ଗବେଷକ ଭାସ୍କର ମିଶ୍ର,କବି ମାନସ ରଞ୍ଜନ ମହାପାତ୍ର,ନାଟ୍ୟନିର୍ଦେଶକ ଭରତ ନାୟକଙ୍କ ସମେତ ପୁରୀ ର ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରାମ୍ୟାନମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ୟଶ୍ୟାମପ୍ରକାଶ ସେନାପତି ସଞ୍ଚାଳନ କରିଥିବାବେଳେ, ପରିଚାଳନା ରେ ସହଯୋଗ କରିଥିଲେ ନାରାୟଣ ପାତ୍ର, ସତ୍ୟବ୍ରତ ଦାସ, ପୁଷ୍କର ପାତ୍ର। ଏହି ସମାରୋହରେ ପ୍ରକାଶ ରଥଙ୍କ ନିର୍ଦ୍ଦେଶନାରେ ଗୀତଗୋବିନ୍ଦ ଓ ସମବେତ କଣ୍ଠସଂଗୀତ ପରିବେଷଣ ହୋଇଥିଲା।

Leave a Reply

Your email address will not be published.